‘ଲୋ-ଫ୍ଲୋର୍‌’ ବ‌ସ୍‌ କିଣାରେ ଦୁର୍ନୀତି ଅଭିଯୋଗ:ମୁଖ୍ୟ ଶାସନ ସଚିବଙ୍କ ସିବିଆଇ’ ତଦନ୍ତ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ

ନୂଆଦିଲ୍ଲୀ: ‘ଦିଲ୍ଲୀ ପରିବହନ ନିଗମ’ (ଡିଟିସି) ପାଇଁ ୧୦୦୦ଟି ‘ଲୋ-ଫ୍ଲୋର୍‌’ ବ‌ସ୍‌ କିଣା ଯାଇଥିଲା । ତେବେ ଏଥିରେ ଦୁର୍ନୀତି ଘଟିଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟ ଶାସନ ସଚିବ ନରେଶ କୁମାର । ଏନେଇ ‘ସିବିଆଇ’ ତଦନ୍ତ ପାଇଁ ପ୍ରସ୍ତାବ ଦେଇଥିବା ବେଳେ, ଉକ୍ତ ପ୍ରସ୍ତାବକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍‌ସେନା ଅନୁମୋଦନ କରିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ବସ୍‌ କିଣା ଦୁର୍ନୀତି ଅଭିଯୋଗ ଉପରାଜ୍ୟପାଳଙ୍କ ସଚିବାଳୟ ଅଫିସ୍‌ ଗ୍ରହଣ କରିଥିଲା। ଚଳିତ ବର୍ଷ ଜୁନ୍‌ ମାସରେ ସାକ୍‌ସେନାଙ୍କୁ ସମ୍ବୋଧନ କରି ଲିଖତ ଅଭିଯୋଗରେ ଉଲ୍ଲେଖ ଅଛି ଯେ, ‘ଦିଲ୍ଲୀ ପରିବହନ ନିଗମ’ ନିମନ୍ତେ ବସ୍‌ ପାଇଁ ‌‘ଟେଣ୍ଡର୍‌’ ଓ ଖରିଦ କମିଟିର ଅଧ୍ୟକ୍ଷ ଭାବେ ପରିବହନ ମନ୍ତ୍ରୀଙ୍କ ନିଯୁକ୍ତି ଯୋଜନାବଦ୍ଧ ଭାବେ କରାଯାଇଥିଲା। ଦୁର୍ନୀତି କରିବାରେ ସୁବିଧା ହେବା ନିମନ୍ତେ ହିଁ ଏ ଭଳି କରାଯାଇଥିବା କଥା ମଧ୍ୟ ଅଭିଯୋଗକାରୀ କହିଛନ୍ତି।

ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୨୦୧୯ରେ ୧୦୦୦ ‘ଲୋ ଫ୍ଲୋର୍‌ ବିଏସ୍‌-୪’ ଏବଂ ‘ବିଏସ୍‌-୬’ ବସ୍‌ କିଣାରେ ଦୁର୍ନୀତି ହୋଇଛି। ସେହିପରି, ବସ୍‌ କିଣିବା ଓ ‘ବିଏସ୍‌-୪’ ବସ୍‌ର ବାର୍ଷିକ ମରାମତି ଲାଗି ୨୦୨୦ ମାର୍ଚ ମାସରେ ହୋଇଥିବା ଆଉ ଏକ ଟେଣ୍ଡର୍‌ରେ ମଧ୍ୟ ଦୁର୍ନୀତି ହୋଇଥିବା କଥା ସେ ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗରୁ ବିବୃତି ଆଣିବା ଏବଂ ପ୍ରାପ୍ତ ବିବୃତିର ସୁପାରିସ ନିମନ୍ତେ ଜୁଲାଇ ୨୨ ତାରିଖ ଦିନ ଉକ୍ତ ଅଭିଯୋଗପତ୍ରକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିଲା।

ଅଗଷ୍ଟ ୧୯ ତାରିଖ ଦିନ ମୁଖ୍ୟ ଶାସନ ସଚିବ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ, ବସ୍‌ କିଣାରେ ଦୁର୍ନୀତି ହୋଇଥିବାରୁ ଉପରାଜ୍ୟପାଳ ଉକ୍ତ ଅଭିଯୋଗକୁ ‘ସିବିଆଇ’ ତଦନ୍ତ ପାଇଁ ପଠାଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ‘ସିବିଆଇ’ ମଧ୍ୟ ଏହି ମାମଲାରେ ପ୍ରାଥମିକ ତଦନ୍ତ କରିସାରିଲାଣି ।

Related Posts