ରାଜଧାନୀରେ ଅଳିଆ ଉଠାଇବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରୁ ଅଳିଆ ଉଠାଇବା ନାଁରେ ୧୧ କୋଟି ଦୁର୍ନୀତି ମାମଲାର ଚର୍ଚ୍ଚା ଥମିବାରେ ନାଁ ନେଉନି । ସେପଟେ ଏହି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବାବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ ଫଣ୍ଡ ଅଡିଟ । କେବଳ ଆପତ୍ତି ଉଠାଇ ନାହାନ୍ତି ବରଂ ଏହି ଆପତ୍ତି ଆଧାରରେ କର୍ତ୍ତୃପକ୍ଷ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ସନ୍ତୋଷଜନକ ହୋଇନଥିବାରୁ ଏହି ଅର୍ଥ ଆଦାୟ କରିବା ପାଇଁ ଅଡିଟ ସୁପାରିସ କରିଛନ୍ତି । ଉଚିତ ସମୟରେ ଏହି ଅର୍ଥ ଆଦାୟ ନହେଲେ ମାମଲା ଲୋକାୟୁକ୍ତକୁ ଯିବ ବୋଲି ଜଣାପଡ଼ିଛି । ୨୦୧୬ ମସିହାରେ ହୋଇଥିବା ଘୋଟାଲା ଅର୍ଥ ଅଦ୍ୟାବଧି ଆଦାୟ ହୋଇନଥିବାରୁ ଏହି ଅର୍ଥ ମଧ୍ୟ ଆଦାୟ ହେବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପଟେ ଅଡିଟ ଉଠାଇଥିବା ଆପତ୍ତି ମୁତାବକ, ବିଏମସି ସହରର ବିଭିନ୍ନ ଜାଗାରୁ ଆବର୍ଜନା ଉଠାଇ ସୈନିକ ସ୍କୁଲ ପଛରେ ଥିବା ଟିଟିଏସରେ ମହଜୁଦ ରଖିଥାଏ । ପରେ ସେଠାରୁ ଏକକାଳୀନ ଆବର୍ଜନାକୁ ଉଠାଇ ଭୁଆସୁଣି ଡମ୍ପିଂୟାର୍ଡକୁ ନିଆଯାଏ । ଟିଟିଏସରେ ଯେତିକି ଓଜନର ଆବର୍ଜନା ଜମା ହୁଏ, ଡମ୍ପିଂୟାର୍ଡକୁ ସେତିକି ଓଜନର ଆବର୍ଜନା ଯିବା କଥା । କିନ୍ତୁ ୨୦୧୬ ରୁ ୨୦୨୦ ମଧ୍ୟରେ ଯେତିକି ଜମା ହୋଇଛି ତାହାଠାରୁ ଢ଼େର କମ ଆବର୍ଜନା ଡମ୍ପିଂୟାର୍ଡକୁ ଯାଇଛି । ଭୁଆସୁଣିକୁ ଯାଇଥିବା ଆବର୍ଜନାକୁ ବାଦ ଦେଲେ ଯେଉଁ ଅତିରିକ୍ତ ପରିମାଣର ଆବର୍ଜନା ଟିଟିଏସକୁ ଯାଇଛି ସେଥିପାଇଁ ବିଏମସି ୩୬ କୋଟି ୨୬ ଲକ୍ଷ ୩୧ ହଜାର ୮୧୭ ଟଙ୍କା ଅଧିକ ଖର୍ଚ୍ଚ କରିଛି ।

ଏହି ଅଧିକ ଅର୍ଥ ଆଦାୟ କରିବା ପାଇଁ ଅଡିଟ ସୁପାରିସ କରିଛି । ୨୦୧୭-୧୮ରେ ଅତିରିକ୍ତ ଖର୍ଚ୍ଚ ୬ କୋଟି ୫୫ ଲକ୍ଷ ୩୯ ହାଜର ୩୮୪ ଟଙ୍କା ଦର୍ଶାଯାଇଥିବାବେଳେ ୧୮-୧୯ ଆର୍ଥିକ ବର୍ଷରେ ୮ କୋଟି ୪୨ ଲକ୍ଷ ୧୦ ହଜାର ୯୯୩ ଓ ୧୯-୨୦ ଆର୍ଥିକ ବର୍ଷରେ ୯ କୋଟି ୯୮ ଲକ୍ଷ ୩୭ ହାଜର ୭୮ ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଥିବା ଅଡିଟ ଦର୍ଶାଇଛନ୍ତି । ୨୦୧୧ରୁ ୨୦୧୬ ମଧ୍ୟରେ ଆବର୍ଜନା ଉଠାପକାକୁ ନେଇ ଅନୁରୂପ ଅଭିଯୋଗ ହୋଇଥିଲା । ଯେତିକି ଜମା ହୋଇଥିଲା ତା’ଠାରୁ ଢ଼େର କମ ଆବର୍ଜନା ଭୁଆସୁଣି ଯାଇଥିଲା । ସେତେବେଳେ ଅଡିଟ ୧୧ କୋଟି ୩୦ ଲକ୍ଷ ୪୪ ହଜାର ୩୬୨ ଟଙ୍କା ଦାୟିତ୍ୱରେ ଥିବା ୧୨ ଜଣ ଅଧିକାରୀଙ୍କ ଠାରୁ ଆଦାୟ କରିବା ପାଇଁ ସୁପାରିସ କରିଥିଲେ । ଯଦି ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ୯ ବର୍ଷର ହିସାବ ଦେଖାଯାଏ ତାହାଲେ ୩୬ କୋଟି ୨୬ ଲକ୍ଷ ୩୧ ହାଜର ୮୧୭ ଟଙ୍କାରେ ଅର୍ଥ ହେରଫେର ହୋଇଛି । ସେପଟେ ୨୦୧୧ରୁ ୨୦୧୬ର ଅଡିଟ ବେଳେ ଯେଉଁ ଆପତ୍ତି ଉଠିଥିଲା ସେତେବେଳେ ଦାୟିତ୍ୱରେ ଥିବା ଅଧିକାରିମାନେ ଦର୍ଶାଇଥିଲେ ଯେ ଟିଟିଏସ ଖାଲୁଆ ଜାଗା ଥିଲା । ଏଣୁ ସେହି ଖାଲରେ ଅଡିଟ ଆପତ୍ତି ଉଠାଇଥିବା ପରିମାଣର ଆବର୍ଜନା ପୋତି ହୋଇ ଯାଇଥିଲା । ହେଲେ ଏଥିରେ ଅଡିଟ ସନ୍ତୁଷ୍ଟ ନହୋଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଠାରୁ ଆଦାୟ ପାଇଁ ପରାମର୍ଶ ଦେଇଥିଲେ ।

ଏବେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଯେଉଁ ଘର୍ଚ୍ଚ ଉପରେ ଆପତ୍ତି ଉଠାଯାଇଛି ତାହାକୁ ନେଇ କର୍ତ୍ତୃପକ୍ଷ ଉତ୍ତର ରଖିଛନ୍ତି । କତ୍ତୃପକ୍ଷଙ୍କ ଉତ୍ତର ମୁତାବକ, ଆବର୍ଜନା ସଂଗ୍ରହ ବେଳେ ଓଜନ ଥାଏ । ବହୁଦିନ ପଡ଼ିବା ପରେ ଶୁଖିଯାଏ । ତେଣୁ ଓଜନ କମିଯାଏ । ଏହା ଟ୍ରାକ୍ଟରରେ ଆସିଥାଏ । ଟ୍ରିପରେ ଯେତିକି ଓଜନ ଥାଏ ସେହି ଟ୍ରିପ ଶୁଖିଲା ପରେ ଓଜନ କମିଯାଏ । କିଛି ଦିନ ପଡ଼ିବା ପରେ ଜରି ଗୋଟାଳି ଓ ପ୍ଲାଷ୍ଟିକ ଗୋଟାଇ ନେଇ ଯାଆନ୍ତି । ତେଣୁ ଓଜନ କମେ ବହୁ ଦିନ ପଡ଼ିବା ପରେ ଲୋକମାନେ ଅଭିଯୋଗ କରିଥିଷଳ । ଏଚ୍ଚୁ ଏକ ସମୟରେ ଓଭର ଲୋଡ କରି ତୁରନ୍ତ ଏହି ଟିଟିଏସକୁ ଖାଲି କରାଯାଇଥିଲା । ସେତେବେଳେ ହିସାବ ରହିଲାନି । ଏଣୁ ଏଭଳି ପକାଇବା ଓ ଉଠାଇବା ବେଳର ଓଜନରେ ପାର୍ଥକ୍ୟ ରହିଥିବା କର୍ତ୍ତୃପକ୍ଷ ଉତ୍ତରରେ ଦର୍ଶାଇଛନ୍ତି । କିନ୍ତୁ ୍ରଅଡିଟ ଟିମ ଏଥିରେ ସନ୍ତୁଷ୍ଟ ନହୋଇ ଅର୍ଥ ଆଦାୟ ପାଇଁ ସୁପାରିସ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts