ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୁଇ ମାସରୁ ଉର୍ଧ ଦିନ ବିତିବାକୁ ବସିଲାଣି | ତଥାପି ଯୁଦ୍ଧ ଥମିବାର ନାଁ ଧରୁନି | ଏହାରି ମଧ୍ୟରେ ରୁଷ ସେନା ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧୀନକୁ ନେବା ସହ କରାଳ ରୂପ ରଚିବାରେ ଲାଗିଛନ୍ତି | ସେପଟେ ୟୁକ୍ରେନ ରୁଷ ସେନାର କଡା ମୁକାବିଲା କରିବା ସହ ଜିଦ ରେ ଅଟଳ ରହିଛି |

ଅନେକ ଦେଶ ଯୁଦ୍ଧକୁ ଏଡ଼ାଇବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ, ଜାତିସଂଘ ମଧ୍ୟ ଯୁଦ୍ଧକୁ ରୋକିବା ପାଇଁ ଘନଘନ ବୈଠକ ଡାକୁଛି | ଏହାରିମଧ୍ୟରେ ଜାତିସଂଘ ର ମୁଖ୍ୟ ଆଂଟୋନିଓ ଗୁଟେରେସ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସେ କିଭରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କୁ ସାକ୍ଷାତ କରିବେ । ଜାତିସଂଘର ମହାସଚିବ ଗୁଟେରେସ୍ ଦିନକ ତଳେ ରୁଷର ରାଜଧାନୀ ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ଲମ୍ବା ସମୟ ଧରି ଆଲୋଚନା ହୋଇଥିଲା । ତେବେ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନଥିଲା ।

ଗୁଟରେସଙ୍କ ୟୁକ୍ରେନ୍ ଗସ୍ତକୁ ନେଇ ଜେଲେନସ୍କି ଖୁବ୍ ଉତ୍ସାହିତ ଅଛନ୍ତି । ହେଲେ ଗୁଟରେସ ପ୍ରଥମେ ରୁଷ୍ ଗସ୍ତ କରିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜେଲେନସ୍କି । ଦିନକ ତଳେ ପୁଟିନ୍ ଓ ଜାତିସଂଘ ମୁଖ୍ୟ ଗୁଟେରେସ୍ ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ମାରିୟୁପୋଲର ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧରେ କିପରି ବିରାମ ଲାଗିବ, ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ୟୁକ୍ରେନ୍ ସହ ଯୁଦ୍ଧକୁ ନେଇ ନାଟୋ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟକୁ ବିରୋଧ କରି ପୁଟିନ୍ କିଛି କଡ଼ା ପଦକ୍ଷେପ ନେଇଛନ୍ତି । ଖୁବଶୀଘ୍ର ୟୁରୋପୀୟ ଦେଶଗୁଡ଼ିକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବା ପାଇଁ ରୁଷ୍ ପଦକ୍ଷେପ ବୋଲି କ୍ରେମଲିନ୍ ମୁଖପାତ୍ର କହିଛନ୍ତି ।

ତେବେ ୟୁକ୍ରେନ ସହ ତାଙ୍କ ବସିବାକୁ ଥିବା ଆଲୋଚନାରେ କଣ ନିଷ୍କର୍ଷ ବାହାରୁଚି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି |