ନିଆଳିରେ ନିର୍ବାଚନୀ ହିଂସା: ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ, ସରପଞ୍ଚଙ୍କ ସମେତ ୪ ଆହତ

ନିଆଳି: ରାଜ୍ୟରେ ନିର୍ବାଚନ ସାରିଛି | କିନ୍ତୁ ନିର୍ବାଚନକୁ ନେଇ ଥିବା ଅସନ୍ତୋଷ ଓ ହିଂସା ଏବେ ବି ଲାଗି ରହିଛି | ଅନେକ ସମୟରେ ନିର୍ବାଚନୀ ହିଂସା ଖବର ସାମ୍ଙ୍କୁ ଆସୁଛି | କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତରେ ଘଟିଛି ନିର୍ବାଚନୀ ହିଂସା |

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସ୍ଥାନୀୟ ସରପଞ୍ଚଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ଓ ଅପର ପକ୍ଷର ବିଶ୍ୱନାଥ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ସରପଞ୍ଚଙ୍କ ଗୋଷ୍ଠୀର କିଛି ଲୋକ ଏକବେରୁଆଁ ପଞ୍ଚାୟତର ଏକ ସ୍ଥାନରେ ଭୋଜି କରୁଥିଲେ। ସରପଞ୍ଚ ମଧ୍ୟ ଭୋଜିରେ ସାମିଲ ହୋଇଥିଲେ। ତାର ଅଳ୍ପ ଦୂରରେ ଅନ୍ୟ ଗୋଷ୍ଠୀର ଲୋକମାନେ ଭୋଜି କରୁଥିଲେ। କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀର ଆକ୍ରମଣରେ ସରପଞ୍ଚ, ତାଙ୍କ ବାପା ଓ ସହଯୋଗୀ ଆହତ ହୋଇଥିଲେ। ଅନ୍ୟ ଗୋଷ୍ଠୀରେ ବିଶ୍ୱନାଥ ଆହତ ହୋଇଥିଲେ।

ପଞ୍ଚାୟତ ନିର୍ବାଚନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ତାହା ଉଗ୍ରରୂପ ଧାରଣ କରିଥିଲା। ନିଆଳି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆହତ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି |

Related Posts