ପରବିନ୍ଦରଙ୍କ ନାଁରେ ମାମଲା

(ସତ୍ୟବାଠ ବ୍ୟୁରୋ) ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ । ପରବିନ୍ଦରଙ୍କୁ ଆକ୍ରମଣ କରିଥିବା ଯୁବକଙ୍କ ବିରୋଧରେ କୋହଳ ଦଫା ଲଗାଇବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ତାଙ୍କ ନାଁରେ ପାଲଟା ଅଭିଯୋଗ ହୋଇଛି । ପରବିନ୍ଦର ପ୍ରଥମେ ଜାତି ଓ ବାପାଙ୍କ ନାଁ ଧରି ଗାଳି ଦେଇଥିବା ଅଭିଯୋଗରେ ଭୁବନେଶ୍ୱର SDJMଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି ।

ପୋଲିସ୍‌ ସମ୍ମୁଖରେ ସଂଘବଦ୍ଧ ଭାବେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପୋଲିସ୍‌ର ଭୂମିକାକୁ ନେଇ ଆଜି ବି ପ୍ରଶ୍ନ ଉଠୁଛି ।  ପୋଲିସ୍‌ ସାମ୍ନାରେ ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ଲାଗି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ପରବିନ୍ଦର । ଭୁବନେଶ୍ୱରରେ ପରିବାର ସହ ରହିବାକୁ ସେ ଆଉ ସୁରକ୍ଷିତ ମଣୁ ନ ଥିବା ବି କହିଥିଲେ ।  ପୁଲିସ୍‌ ସାମ୍ନାରେ ମାଡ଼ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ନ ଲଗାଇ କୋହଳ ଦଫା ଲଗାଯାଇଥିବାରୁ ଅଭିଯୁକ୍ତମାନେ ଅତି ସହଜରେ ଜାମିନ ପାଇଯାଇଥିବା ଅଭିଯୋଗ ମଧ୍ୟ କରିଥିଲେ ।

ପରେ ସେ ନ୍ୟାୟ ପାଇଁ ଜାତୀୟ  ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ୩୦୭ ଧାରା ଲାଗୁ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ପଗଡିକୁ ପକାଇ ତାଙ୍କ ଧର୍ମକୁ ଅସମ୍ମାନ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ପରବିନ୍ଦର । ଠିକଣା ଢଙ୍ଗରେ ତଦନ୍ତ କରିବା ପାଇଁ ମଧ୍ୟ ସେ ମାନବାଧିକାର କମିଶନଙ୍କ ପାଖରେ ମଧ୍ୟ ଦାବି କରିଥିଲେ । ହେଲେ ଆଜି ତାଙ୍କ ବିରୋଧରେ ଜାଣିଶୁଣି ଏଭଳି ମାମଲା ରୁଜୁ କରାଯିବା ଆଇନ ଉପରେ ଥିବା ତାଙ୍କ ଭରସାକୁ ଭାଙ୍ଗିଦେଇଥିବା କହିଛନ୍ତି ପରବିନ୍ଦର ।

Related Posts