କଟକରେ ନକଲି ଔଷଧ କାରବାର ମାମଲା; ୨ ଅଭିଯୁକ୍ତଙ୍କୁ ସର୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୂଳକ ଜାମିନ୍ ମିଳିଛି। ବୁଧବାର ହାଇକୋର୍ଟ ଏହି ୨ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ଅଭିଯୁକ୍ତଙ୍କ ପରିଚୟ ହେଲା ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନ।

ତାଙ୍କୁ କିଛି ସର୍ତ୍ତ ସହ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ। କୋର୍ଟଙ୍କ ସର୍ତ୍ତ ଅନୁସାରେ, ପୋଲିସକୁ ନଜଣାଇ ସେମାନେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ଏମିତି କିଛି ସର୍ତ୍ତରେ ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ କଟକରେ ଉଚ୍ଚ ରକ୍ତଚାପର କିଛି ଔଷଧର ନକଲି କାରବାର ନେଇ ଖବର ମିଳିଥିଲା। ଏହାପରେ ଡ୍ରଗ ଇନ୍ସପେକ୍ଟର ଓ ପୋଲିସର ମିଳିତ ସହାୟତାରେ କଟକର ବିଭିନ୍ନ ଔଷଧ ଦୋକାନରେ ଚଢ଼ାଉ କରାଯାଇଥିଲା । ଏହାପରେ ରକ୍ତଚାପ ପାଇଁ ବ୍ୟବହାର ହେଉଥିବା ଟେଲମା-୪୦ ର ବିପୁଳ ପରିମାଣର ନକଲି ଔଷଧ ଠାବ ହୋଇଥିଲା। ଏହି ଘଟଣାର ଖୋଳତାଡ କରି ନକଲି ଔଷଧ କାରବାର କରୁଥିବା ୨ ମୁଖ୍ୟ ଅଭିଯୁକ୍ତ ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନଙ୍କୁ ଗିରଫ କରିଥିଲା ପୋଲିସ।

Related Posts