ପ୍ରଥମ ଓଡ଼ିଆ ଭାବେ ଫିକି ଇଣ୍ଡିଆର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା । ତେବେ ସେ ପ୍ରଥମ ଓଡ଼ିଆ ଭାବେ ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ହୋଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଫିକି ଇଣ୍ଡିଆର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଥିବା ଶୁଭ୍ରକାନ୍ତ ପଣ୍ଡା ଏବେ ଫିକିର ବରିଷ୍ଠ ଉପସଭାପତି ପଦରେ ଅଛନ୍ତି ।ଶୁଭ୍ରକାନ୍ତ ସଭାପତି ଭାବରେ ସଞ୍ଜୀବ ମେହେଟ୍ଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ, ୧୯୯୩ରେ ଶୁଭ୍ରକାନ୍ତ ଇମ୍ଫାରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ସେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଆନ୍ତର୍ଜାତିକ ଚାମ୍ବର ଅଫ୍ କମର୍ସର ଭାରତୀୟ ଚାପ୍ଟର ସଭାପତି (୨୦୧୭-୧୮) ଏବଂ ପ୍ୟାରିସ୍‌ସ୍ଥିତ ଇଣ୍ଟର୍‌ନ୍ୟାସ୍‌ନାଲ୍ କ୍ରୋମିଅମ୍ ଡେଭଲପ୍‌ମେଣ୍ଟ୍ ଆସୋସିଏସନ୍ (ଆଇସିଡିଏ)ର ସଭାପତି (୨୦୧୩-୧୫)ର ଦାୟିତ୍ୱ ନିର୍ବାହ କରିଛନ୍ତି। ଆମେରିକାସ୍ଥିତ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟର କେଷ୍ଟ୍ରମ୍ ସ୍କୁଲ୍ ଅଫ୍ ବିଜିନେସ୍‌ରୁ ଫାଇନାନ୍ସ ଓ ଅପରେସନ୍ ମ୍ୟାନେଜ୍‌ମେଣ୍ଟ୍‌ରେ ସେ ସମ୍ମାନଜନକ ଡିଗ୍ରୀ ହାସଲ କରିଛନ୍ତି।

Related Posts