ସିନ୍ଦେ ଗୋଷ୍ଠୀକୁ ବଡ଼ ଝଟକା, ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଉଦ୍ଧବ ଠାକରେଙ୍କୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନାର ବିଦ୍ରୋହୀ ସିନ୍ଦେ ଗୋଷ୍ଠୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି କରି ସିନ୍ଦେ ଗୋଷ୍ଠୀ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଆବେଦକୁ ଅଗ୍ରହ୍ୟ କରି ଦେଇଛନ୍ତି। ପ୍ରକୃତ ଶିବ ସୈନିକ କିଏ? ଏହି ବିବାଦର ସାମାଧନ ନ ହେବା ଯାଏ ସିନ୍ଦେ ଗୋଷ୍ଠୀର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ସିନ୍ଦେ ଗୋଷ୍ଠୀରେ ଥିବା ଦାଦର ବିଧାୟକ ସଦା ସର୍ବଙ୍କର କୋର୍ଟରେ ଯୁକ୍ତି କରିଥିଲେ ଯେ ଦଶହରା ରାଲି ପାଇଁ ଅନୁମତି ମାଗି ଆବେଦନକାରୀ(ଠାକରେଙ୍କ ଶିବସେନା) ଦଳ ଉପରେ ନିଜର ଏକତରଫା ଅଧିକାର ଜାହିର କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ସେ କହିଥିଲେ ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶିବସେନାର ବାର୍ଷିକ ଦଶହରା ରାଲିର ଅନୁମତି ପାଇଁ ସେ ଅଗଷ୍ଟ ୩୦ରୁ ମୁମ୍ବାଇ ପୌର ପାଳିକା ନିକଟରେ ଆବେଦନ କରାଯାଇଛି। ସେ ଦାବି କରିଥିଲେ ଯେ ଶିବସେନାର ଅଧିକାଂଶ ନେତା ଓ ଜନ ପ୍ରତିନିଧ ଏକନାଥ ସିନ୍ଦେଙ୍କୁ ହିଁ ସମର୍ଥନ କରୁଛନ୍ତି। ଦଳ ଭିତରେ ଉଦ୍ଧବ ଠାକରେ ନିଜର ସମର୍ଥନ ହରାଇଛନ୍ତି। ସର୍ବଙ୍କର ଗୁରୁବାର ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରି ଉଦ୍ଧବ ଠାକରେ ଶିବସେନା ରାଲି ପାଇଁ କରିଥିବା ଆବେଦନର ଶୁଣାଣି ନ କରିବାକୁ ଅନୁରୋଧ କରିଥିଲେ।

ଗତକାଲି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଆଇନଶୃଙ୍ଖଳା ପରିସ୍ଥିତିର ଆଳରେ ଦଶହରା ରାଲି ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲା। ହେଲେ ଆଜି ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ରାଲି ପାଇଁ କୋର୍ଟର ଅନୁମତି ମିଳିଛି। ଏହାକୁ ଉଦ୍ଧବ ଠାକରେଙ୍କର ଏକ ବଡ ବିଜୟ କୁହାଯାଉଛି।

ସୂଚନାଯୋଗ୍ୟ ଯେ, ୧୯୬୬ରୁ ପ୍ରତିବର୍ଷ ଶିବସେନା ଦଶହରାରେ ରାଲି କରି ଆସୁଛି। ତେବେ କରୋନା ଯୋଗୁ ୨୦୨୦ ଓ ୨୦୨୧ରେ ରାଲି ହୋଇ ନଥିଲା। କିନ୍ତୁ ଏ ବର୍ଷ ସ୍ଥିତି ସ୍ୱାଭାବିକ ହୋଇଥିବାରୁ ରାଲି ଆୟୋଜନ ହେବ। ଏହି ରାଲି ମାଧ୍ୟମରେ ଉଭୟ ଉଦ୍ଧବ ଓ ସିନ୍ଦେ ନିଜ ନିଜର ଶକ୍ତି ଦେଖାଇବେ।

Related Posts