ଶଙ୍କରାନନ୍ଦ ଗିରିଙ୍କ ପାସପୋର୍ଟ ବାତିଲ, ବିଦେଶ ଗସ୍ତ ଉପରେ ରୋକ ଲଗାଇଲେ କୋର୍ଟ

ସତ୍ୟପାଠ ବ୍ୟୁରୋ : କ୍ରିୟାଯୋଗ ଆଶ୍ରମର ପ୍ରତିଷ୍ଠାତା ବାବା ଶଙ୍କରାନନ୍ଦ ଗିରିଙ୍କୁ ଲାଗିଛି ଶକ୍ତ ଝଟକା । ବାବାଙ୍କ ପାସପୋର୍ଟ ବାତିଲ କରାଯିବା ନିଷ୍ପତିକୁ କାଏମ ରଖିବା ସହ ତାଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇଛନ୍ତି ଅଦାଲତ । ଏକ ବୃହତ୍ତର ଜନସ୍ୱାର୍ଥ ଓ ଆଇନ ବ୍ୟବସ୍ଥାକୁ ସମ୍ମାନ ଦେବାକୁ ଏହି ଆଦେଶ ଦିଆଯାଇଥିବା ଭୁବନେଶ୍ୱର ଜେଏମଏଫସି କୋର୍ଟ ଦର୍ଶାଇଛନ୍ତି । ମାମଲାରେ ବିପୁଳ ଟଙ୍କାର ଠକେଇ ସହ ଦେଶର ସମ୍ମାନ ଜଡିତ ଥିବାରୁ ଟ୍ରାଏଲ ସମୟରେ ଶଙ୍କରାନନ୍ଦ ଗିରି ଉପସ୍ଥିତ ରହିବା ହୃଦବୋଧ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଶଙ୍କରାନନ୍ଦଙ୍କ ପାସପୋର୍ଟକୁ ଦାଖଲ କରିବା ପାଇଁ ପୂର୍ବରୁ ପାସପୋର୍ଟ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧିନ ଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ଚ୍ୟାଲେଂଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶଙ୍କରାନନ୍ଦ । ୧୧.୦୬.୨୦୧୮ରେ ଭୁବନେଶ୍ୱର ଜେଏମଏଫସିରେ ସେ ଏନେଇ ଆବେଦନ କରିଥିଲେ । ନିଜ ଆବେଦନରେ ଶଙ୍କରାନନ୍ଦ ଦର୍ଶାଇଥିଲେ ଯେ, ସେ ୭୧ବର୍ଷ ବୟସର ଜଣେ ସନ୍ୟାସୀ । ଭାରତ ତଥା ବିଦେଶରେ କ୍ରିୟାଯୋଗ ସମ୍ବନ୍ଧରେ ସେ ପ୍ରଚାର ପ୍ରସାର କରନ୍ତି ।

ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ମଧ୍ୟ ସେ ପ୍ରତିଷ୍ଠାତା ଯେଉଁଠାରେ ପ୍ରାୟ ୪ହଜାର ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଶତାଧିକ ଦେଶରେ କ୍ରିୟାଯୋଗର ଅନୁସରଣ କରୁଥିବାରୁ ସେହି ସବୁ ଦେଶକୁ ଯାଇ ସେ କ୍ରିୟାଯୋଗ ସେମିନାର କରିବାକୁ ଯାଆନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ପାଖରେ ପାସପୋର୍ଟ ନଥିବା କାରଣରୁ ସେ ବିଦେଶ ଗସ୍ତରେ ଯାଇ ପାରୁ ନାହାଁନ୍ତି । ତେଣୁ ଏ ଦିଗରେ ଏନଓସି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ଆବେଦନ କରିଥିଲେ ।

ତେବେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଶଙ୍କରାନନ୍ଦଙ୍କ ଆବେଦନକୁ ଖାରଜ କରିବା ସହ ପାସପୋର୍ଟ ବିଭାଗର ପୂର୍ବ ନିର୍ଦ୍ଦେଶକୁ କାଏମ ରଖିଛନ୍ତି । ମାମଲାଟି ୨୦୧୦ର ଏକ ଠକେଇ ମାମଲା ହୋଇଥିବାରୁ ଓ ଏଥିରେ ପ୍ରାୟ ୨କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ଥିବାରୁ ମାମଲାକୁ ଗମ୍ଭୀରତାର ସହ ବିଚାର କରିବା ସହ ଅଦାଲତ ନିଷ୍ପତି ଶୁଣାଇଛନ୍ତି । ମାମଲାର ଟ୍ରାଏଲ ଆରମ୍ଭ ହେବାକୁ କିଛିଦିନ ଥିବା ବେଳେ ଅଭିଯୁକ୍ତ ଯଦି ବିଦେଶ ଗସ୍ତରେ ଯାଇ ଆଉ ନ ଫେରନ୍ତି ତେବେ ତାହା ବିଚାର ବ୍ୟବସ୍ଥାରେ ବାଧା ସୃଷ୍ଟି କରିବ । ତେଣୁ ଏ କ୍ଷେତ୍ରରେ ବୃହତ୍ତର ସ୍ୱାର୍ଥ ଏବଂ ଆଇନ ଓ ବିଚାର ବ୍ୟବସ୍ଥାକୁ ସମ୍ମାନ ଦେବାକୁ ଯାଇ ତାଙ୍କ ବିଦେଶ ଗସ୍ତ ଉପରେ ଅଦାଲତ ରୋକ ଲଗାଇଛନ୍ତି ।

 

ସୂଚନାଯୋଗ୍ୟ, ଆନେ ନିଲସନ ନାମକ ଜଣେ ଡେନମାର୍କ ନାଗରିକଙ୍କ ଠାରୁ ଶଙ୍କରାନନ୍ଦ ପ୍ରାୟ ୨କୋଟି ଟଙ୍କା ଠକି ନେଇଥିବା ସହୀଦନଗର ଥାନାରେ ଅଭିଯୋଗ ହୋଇଥିଲା । କ୍ରିୟାଯୋଗ ଆଶ୍ରମ ପାଇଁ ଟଙ୍କା ଆଣି ୨ଗୁଣା କରି ଫେରାଇବାକୁ କହି ଏହି ଟଙ୍କା ଠକେଇ ହୋଇଥିବା ନିଲସନ ଅଭିଯୋଗ କରିଥିଲେ । ଏହାପରେ କ୍ରିୟାଯୋଗ ଆଶ୍ରମର ଆର୍ଥିକ କାରବାରର ତଦନ୍ତ କରିବାକୁ କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପରିକି ୨୦୧୬ରେ ଶଙ୍କରାନନ୍ଦଙ୍କୁ ପ୍ରାୟ ୮ଘଂଟା କାଳ ଇଡି ପଚରାଉଚୁରା କରିଥିଲା ।

Related Posts