ମାଲକାନଗିରି : କେନ୍ଦ୍ର ସରକାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ(ପିଏଫ୍ଆଇ) ସମେତ ୮ଟି ସଂସ୍ଥା ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଯାହାକୁ ଘୋର ନିନ୍ଦା କରିଛି ସିପିଆଇ (ମାଓବାଦୀ)।
ସଂଗଠନର କେନ୍ଦ୍ର କମିଟିର ମୁଖପାତ୍ର ଅଭୟଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, କ୍ଷମତାରେ ଆସିବା ପରଠୁ ବିଜେପି ସରକାର ମୁସଲମାନଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛନ୍ତି। ବ୍ରାହ୍ମଣୀୟ, ହିନ୍ଦୁତ୍ବ ଏବଂ ଫାଶୀବାଦକୁ ଯେଉଁମାନେ ବିରୋଧର କରୁଛନ୍ତି, ସେମାନଙ୍କୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି। ଯାହାକୁ ନକ୍ସଲ ସଂଗଠନ ଆଦୌ ଗ୍ରହଣ କରିପାରୁ ନାହିଁ ଏବଂ ନିନ୍ଦା କରୁଥିବା ସେ କହିଛନ୍ତି।
ସେହିପରି ଅନ୍ୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଦଣ୍ଡକାରଣ୍ୟ କମିଟି ତରଫରୁ ମୁଖପାତ୍ର ବିପ୍ଳବ କହିଛନ୍ତି ଯେ, କେନ୍ଦ୍ର ସରକାର ତୁରନ୍ତ ଚାଷୀଙ୍କ ଧାନକୁ କ୍ବିଣ୍ଟାଲ ପିଛା ୩୨ ଶହ ଟଙ୍କାରେ କିଣନ୍ତୁ। କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ଏବେ ମଧ୍ୟ ଦେଶର ଚାଷୀ ଆତ୍ମହତ୍ୟା କରୁଛନ୍ତି। ପୁଞ୍ଜିପତି ଏବଂ ସାମ୍ରାଜ୍ୟବାଦୀ ଶାସନ ଚଳାଉଥିବା କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ସରକାର ତୁରନ୍ତ ଏମ୍ଏସ୍ପି ଗ୍ୟାରେଣ୍ଟି ଆଇନ ଆଣନ୍ତୁ। ୨୦୨୦ ମସିହାରେ ଯେଉଁ ଚାଷୀ ବିରୋଧୀ ବିଦ୍ୟୁତ ବିଲ୍ ଆସିଥିଲା ତାକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ଦାବି କରିଛନ୍ତି ।
