ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଗତ କିଛି ଦିନ ହେବ ରାଜ୍ୟରେ ଅପରାଧ ବଢିଚାଲିଛି । ଯେମିତି ଲାଗୁଛି ଅପରାଧୀଙ୍କ ଆଉ ଡରଭୟ ନାହିଁ । ନହେଲେ ରାଜ୍ୟରେ ଗୋଟିଏ ଘଟଣା ଶାନ୍ତ ନ ହେଉନି ଆଉ ଗୋଟେ ଘଟିଚାଲିଛି । ଆମେ ଏଇଥି ପାଇଁ କହୁଛୁ ଯେ କିଛିଦିନ ପୂର୍ବରୁ ପୁରୀ କଣାସରେ ବୁଲେଟ୍‌ ଚଢ଼ାଇ ଯୁବକଙ୍କୁ ହତ୍ୟା ଓ ଗଞ୍ଜାମର ହିଞ୍ଜିଳି ଅଞ୍ଚଳରେ ଗର୍ଭବତୀଙ୍କୁ ପ୍ରେମିକ ଘର ଆଗରେ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା ପରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୁଲିସ ଆଖିଆଗରେ ଜଣେ ପୁଲିସକୁ ପିଟିପିଟି ହତ୍ୟା କରାଯାଇଛି। ସ୍ଥିତି ଏମିତି ହୋଇଥିଲା ଯେମିତି କେହି ମନେ କରିବ ପୁଲିସକୁ ଆଉ ଅପରାଧୀଙ୍କର ଡର ଭୟ ନାହିଁ। ଆଜିର ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଛି।

ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ, ଶହଶହ ଲୋକ ବି। ଆଉ କିଛି ଯୁବକ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ବିଧା ଗୋଇଠା ମାରୁଥିଲେ। ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟାଙ୍ଗି ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍‌, ଲାଠିରେ ପିଟିପିଟି ମାରିଦେ‌ଲେ। ମୃତ ଯୁବକ ଜଣକ ମଧ୍ୟ ଜଣେ ପୁଲିସ କନେଷ୍ଟବଳ। ଏଭଳି ଛାତିଥରା ହତ୍ୟାକାଣ୍ଡ ଘଟିଛି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ। ମୃତକ ହେଲେ ଓଲଟପୁର ମଉଜପୁର ଗ୍ରାମର ସୌମ୍ୟରଂଜନ ସ୍ବାଇଁ (୩୦)। ସେ ରେଳବାଇରେ କନେଷ୍ଟବଳ ଭାବେ କାର୍ଯ୍ୟରତ। ତାଙ୍କ ଜିମ୍‌ ଟ୍ରେନ୍‌ର ଓମ୍‌ପ୍ରକାଶ ରାଉତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଗୋଟିଏ ସମୟରେ ପୁଲିସ-ଜନତା ଧସ୍ତାଧସ୍ତି ଓ ଉତ୍ତେଜନା ବଢ଼ିବାରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସିସିଟିଭି ଫୁଟେଜ୍‌ରେ ହତ୍ୟା ବେଳର ଦୃଶ୍ୟ କଏଦ୍‌ ହୋଇଥିଲା ବେଳେ ଲୋକେ ମୋବାଇଲ୍‌ରେ ରେକର୍ଡିଂ କରିଥିବା ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପାଞ୍ଚ ଜଣଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରହିଛି। ସେପଟେ ପୂର୍ବାହ୍ଣ ପାଖାପାଖି ସାଢ଼େ ୧୦ଟା। ଦୁଇ ଜଣ ଯୁବତୀ ଏକ ସ୍କୁଟିରେ ରାମଚନ୍ଦ୍ରପୁର ବ୍ରିଜ୍‌ ଉପରେ ଯାଉଥିଲେ। ଏହି ସମୟରେ ସୌମ୍ୟରଂଜନ ଓ ତାଙ୍କ ଜିମ୍ ଟ୍ରେନ୍‌ର ଓମ୍‌ ଏକ ବାଇକ୍‌ରେ ଦୁଇ ଯୁବତୀଙ୍କୁ ପିଛା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍‌ରେ କିଛି ବାଟ ପିଛା ପରେ ବାଇକ୍‌ଟି ଯୁବତୀଙ୍କ ସ୍କୁଟି ପଛରୁ ଧକ୍କା ଦେଇଥିଲା। ଦୁଇ ଯୁବତୀ ତଳେ ପଡ଼ିଯିବା ପରେ ସୌମ୍ୟରଂଜନ ଓ ଓମ୍‌ ସେମାନଙ୍କୁ ଉଠାଇବା ପରିବର୍ତ୍ତେ ଅସଦାଚରଣ କରିଥିବା ଅଭିଯୋଗ ଆଣି ଦୁଇ ଯୁବତୀ ଚିତ୍କାର କରିଥିଲେ।

ବାଟରେ ଯାଉଥିବା ଲୋକ ପ୍ରତିବାଦ କରିବାରୁ କଥା ବଢ଼ିଥିଲା। ଉତ୍ତ୍ୟକ୍ତ ଲୋକେ ଏକତ୍ରିତ ହୋଇ ସୌମ୍ୟରଂଜନ ଓ ଓମ୍‌ଙ୍କୁ ଘେରି ଯାଇଥିଲେ। ପରେ ସୌମ୍ୟଙ୍କୁ ଧକ୍କା, ବିଧା ମାରିଥିଲେ। ଆରମ୍ଭ ହୋଇଯାଇଥିଲା ଖଣ୍ଡଯୁଦ୍ଧ। ଜୀବନ ବଞ୍ଚାଇବାକୁ ସୌମ୍ୟ ଓ ଓମ୍‌ ଦୌଡ଼ିବା ବେଳେ କିଛି ଯୁବକ ରକ୍ତମୁଖା ପାଲଟି ଯାଇଥିଲେ। ନିକଟରେ ଥିବା ଦୋକାନ ଓ ଅନ୍ୟ ସ୍ଥାନରୁ ଲୁହା ରଡ୍‌, ବହ୍ଲା (କାଠ ଖୁଣ୍ଟ) ଆଣି ସୌମ୍ୟରଂଜନଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଓମ୍‌ ପ୍ରତିବାଦ କରିବାରୁ ତାଙ୍କୁ ବି ନିସ୍ତୁକ ପିଟିଥିଲେ। ଖବର ପାଇ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ଯୁବକମାନଙ୍କୁ ବୁଝାସୁଝା କରିଥିଲା।

ହେଲେ କେହି କିଛି ଶୁଣିନଥିଲେ। କିଛି ଯୁବକ ଓମ୍‌କୁ ବାନ୍ଧି ପକାଇ ଅଟକ ରଖିଥିବା ବେଳେ ଆଉ କିଛି ଯୁବକ ସୌମ୍ୟରଂଜନଙ୍କୁ ବ୍ରିଜ୍‌ ତଳ ନଦୀପଠାକୁ ନେଇଯାଇଥିଲେ। ସେଠାରେ ତାଙ୍କ ହାତଗୋଡ଼କୁ ରଶିରେ ବାନ୍ଧି ପକାଇଥିଲେ। ପରେ ଲୁହା ପାଇପ୍‌ରେ ସୌମ୍ୟରଂଜନଙ୍କୁ ଓଲଟା ଟାଙ୍ଗି ନିସ୍ତୁକ ପିଟିଥିଲେ। ପୁଲିସ ଆଖି ସାମନାରେ ଘଣ୍ଟାଏ ଧରି ଚାଲିଲା ଏଭଳି ବର୍ବର ନିର୍ଯାତନା।