ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ , ସମୟ ଆସିଛି ଏବେ ଦେଶଦ୍ରୋହର ସଂଜ୍ଞା ନିର୍ଦ୍ଧାରଣ କରିବାକୁ ହେବ : ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ବର୍ଷ ଧରି ଦେଖାଯାଉଛି ଯେ ସରକାର ନିଜ ଇଚ୍ଛା ଅନୁସାରେ ଦେଶଦ୍ରୋହ ମାମଲା ରୁଜୁ କରୁଛନ୍ତି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବା ସମୟରେ ଦେଶର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସରକାରଙ୍କୁ ସମାଲୋଚନା କରିବାର ଅର୍ଥ ଦେଶଦ୍ରୋହ ନୁହେଁ। ବର୍ତ୍ତମାନ ସମୟ ଆସିଯାଇଛି ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାକୁ ପଡ଼ିବ। ଆନ୍ଧ୍ର ସରକାର ଦୁଇଟି ତେଲଗୁ ଟିଭି ଚ୍ୟାନେଲ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ତେଲଗୁ ନ୍ୟୁଜ ଚ୍ୟାନେଲ ଟିଭି ୫ ଓ ଏବିଏନ୍‌ ଆନ୍ଧ୍ର ଜ୍ୟୋତି ବିରୋଧରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ ଆନ୍ଧ୍ର ସରକାର ଟିଭି ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି ତାଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏବେ କୋର୍ଟ ଦେଶଦ୍ରୋହର ସଂଜ୍ଞା ଓ ସୀମା ନିରୂପଣ କରିବାର ସମୟ ଆସିଯାଇଛି।” ଆନ୍ଧ୍ରପ୍ରଦେଶର ଶାସନ କ୍ଷମତାରେ ଥିବା ୱାଇଏସ୍ଆର କଂଗ୍ରେସର ଜଣେ ବିଦ୍ରୋହୀ ସାଂସଦ ରଘୁ ରାମ କ୍ରିଷ୍ଣ ରାଜୁ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ କଡା ସମାଲୋଚନା କରିଥିଲେ
। ବିଦ୍ରୋହୀ ସାଂସଦଙ୍କ ବୟାନକୁ ପ୍ରସାରଣ କରିଥିବା ଦୁଇଟି ଚ୍ୟାନେଲ ବିରୋଧରେ ରାଜ୍ୟ ସରକାର ଦେଶଦ୍ରୋହ ମାମଲା ରୁଜୁ କରିଥିଲେ। ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପକୁ ବିରୋଧ କରି ଦୁଇ ନ୍ୟୁଜ ଚ୍ୟାନେଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ସହିତ କରୋନା ମହାମାରୀ ସମ୍ପର୍କିତ ଅଭିଯୋଗକୁ ଉଠାଇଥିବାରୁ ନିକଟରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ ଆନ୍ଧ୍ର ସରକାର ଉଲ୍ଲଙ୍ଘନ କରିଥିବା ସେମାନେ ଅଭିଯୋଗ କରିଥିଲେ। ଟିଭି ୫ ଚ୍ୟାନେଲ କହିଥିଲା ଯେ ସାଂସଦ ରାଜୁ ଦେଇଥିବା ବୟାନ କେବଳ ତାଙ୍କ ଚ୍ୟାନେଲ ନୁହେଁ ବରଂ ଅନ୍ୟ ଗଣମାଧ୍ୟମ ସଂସ୍ଥା ମଧ୍ୟ ପ୍ରସାରଣ କରିଥିଲେ। ସୂଚନାଯୋଗ୍ୟ, ମେ’ ୧୪ ତାରିଖରେ ସିବିଆଇ ଦ୍ଵାରା ଗିରଫ ହୋଇଥିବା ସାଂସଦ ରାଜୁ କିଛି ଦିନ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଜାମିନ ଆବେଦନ ଖାରଜ କରିବାକୁ ଦାବି କରିଥିଲେ। ତାଙ୍କୁ ଜେଲ୍ ରେ ର୍ଦୁବ୍ୟବହାର କରିବାର ଆଶଙ୍କା ଥିବାରୁ ମେ’ ୨୧ରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାପରେ ସେ ଜଗନ ସରକାରଙ୍କ କରୋନା ପରିଚାଳନାକୁ ନେଇ କଡା ସମାଲୋଚନା କରି ଥିଲେ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ କହିଥିଲେ ଯେ ସରକାରଙ୍କ ବିରୋଧରେ ମତ ଦେବା ଦେଶଦ୍ରୋହ ନୁହେଁ ।

Related Posts