ଗୌତମ ଗମ୍ଭୀରଙ୍କୁ କ୍ଲିନ୍ ଚିଟ୍ କେମିତି ଦେଲ? – ଡ୍ରଗ କଣ୍ଟ୍ରୋଲରଙ୍କୁ ହାଇକୋର୍ଟଙ୍କ କଡା ଭର୍ସନ।

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଜରୁରୀ କରୋନା ମେଡିସିନ୍ ର ବେଆଇନ ବାଣ୍ଟନ ମାମଲାରେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଅଡୁଆ ବଢିବାରେ ଲାଗିଛି। ଗମ୍ଭୀରଙ୍କୁ ଡ୍ରଗ୍ କଣ୍ଟ୍ରୋଲରଙ୍କ ଦ୍ୱାରା କ୍ଲିନ୍ ଚିଟ୍ ଦିଆଯିବା ନେଇ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଡ୍ରଗ୍ କଣ୍ଟ୍ରୋଲରକୁ ଗୁରୁବାର ସୁଦ୍ଧା ସଠିକ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଡ୍ରଗ କଣ୍ଟ୍ରୋଲରଙ୍କ ଉପରୁ ତାଙ୍କର ଆତ୍ମବିଶ୍ୱାସ ସଂପୂର୍ଣ୍ଣ ଭାବେ ତୁଟି ଯାଇଛି ଏବଂ ରିପୋର୍ଟରେ କୌଣସି ମୂଲ୍ୟ ନାହିଁ। ମହାମାରୀ ସମୟରେ ରାଜନେତାଙ୍କ ଦ୍ବାରା ଵେଆଇନ ଭାବେ ମେଡିସିନ ବଣ୍ଟା ଯାଉଥିବା ଅଭିଯୋଗର ପୁନଃ ଶୁଣାଣି ବେଳେ ଜଷ୍ଟିସ୍ ଭିପିନ୍ ସାଙ୍ଗୀ ଏବଂ ଜସମିତ ସିଂଙ୍କ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ, “ଯଦି ଆପଣଙ୍କର ଡ୍ରଗ୍ କଣ୍ଟ୍ରୋଲର୍ ନିଜର କାର୍ଯ୍ୟ କରିବାକୁ ଆଗ୍ରହୀ ନୁହଁନ୍ତି, ତେବେ ଆମକୁ କୁହନ୍ତୁ ଆମେ ତାଙ୍କୁ ତାଙ୍କ ପଦବୀରୁ ହଟାଇ ଦେବୁ ଏବଂ ତଦନ୍ତ ପାଇଁ ଅନ୍ୟ କାହାକୁ ଦାୟୀତ୍ବ ଦିଆଯାଉ। କଣ ଏହି ତଦନ୍ତ ? ଏହାର କୌଣସି ଆଇନଗତ ଆଧାର ନାହିଁ। ” ଡ୍ରଗ୍ କଣ୍ଟ୍ରୋଲର ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ଏହି ରିପୋର୍ଟରେ କୋର୍ଟଙ୍କୁ କହିଛନ୍ତି ଯେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦ୍ୱାରା ଫାବିଫ୍ଲୁ ବଣ୍ଟନ କରାଯାଇଥିଲା। ଗମ୍ଭୀର 22 ଏପ୍ରିଲରୁ 27 ତାରିଖ ପର୍ଯ୍ୟନ୍ତ ଗର୍ଗ ହସ୍ପିଟାଲର ଜଣେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ମେଡିକାଲ କ୍ୟାମ୍ପ ସ୍ଥାପନ କରିଥିଲେ। ଏବଂ ଔଷଧ ପାଇଁ ବିଭିନ୍ନ ଡିଲରଙ୍କ ନିକଟକୁ ଯାଇଥିଲେ। ସେଥିପାଇଁ ସେମାନେ ଖୁଚୁରା ବିକ୍ରିକୁ ପ୍ରଭାବିତ କରି ନାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟରେ ଏହା ଉଲ୍ଲେଖ କରାଯାଇଥିବା ବେଳେ ସିଡ୍ୟୁଲ୍ କେ ର ଧାରା 5, ଜଣେ ମେଡିକାଲ୍ ପ୍ରାକ୍ଟିସର ଲାଇସେନ୍ସ ନ ପାଇ ମଧ୍ୟ ତାଙ୍କୁ ଔଷଧ ଷ୍ଟକ୍ ଏବଂ ବିତରଣ କରିବାକୁ ଅନୁମତି ଦେଇଥାଏ ବୋଲି ରିପୋର୍ଟରେ କୁହାଯାଇଛି। ତେବେ କୋର୍ଟ ପ୍ରଶ୍ନ କରିଥିଲେ ଯେ “ ଏମିତି ଏକ ଫାଉଣ୍ଡେସନ ଯିଏକି ମେଡିସିନ ପ୍ରାକ୍ଟିସନର ନୁହେଁ ତାଙ୍କୁ ଏତେ ପରିମାଣର ଔଷଧ କିପରି ଦିଆଯାଇପାରିବ ? ଅଦାଲତ ଆହୁରି ମଧ୍ୟ ପଚାରିଛନ୍ତି ଯେ ଯଦି କୌଣସି ଡାକ୍ତର କିମ୍ବା ମେଡିକାଲ ପ୍ରାକ୍ଟିସନର ଜଣେ ଡିଲରଙ୍କ ପାଖକୁ ଯାଇ କହି ପାରିବେ କି “ମୋତେ ଏହି ଔଷଧର 4000 ଷ୍ଟ୍ରିପ୍ ଦିଅ”? କୋର୍ଟ ଆଡିସନାଲ ଷ୍ଟାଣ୍ଡିଂ କାଉନ୍ସିଲ୍ ନନ୍ଦିତା ରାଓଙ୍କୁ ପଚାରିଛନ୍ତି ଯେ , “ଆପଣ ନିୟମାବଳୀ ଆଧାରରେ ଏହି ରିପୋର୍ଟ ଦାଖଲ କରୁଛନ୍ତି ନା ସେମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ରିପୋର୍ଟକୁ ଆମ ଆଗରେ ଥୋଇ ଦେଇଛନ୍ତି। ” କୋର୍ଟ କହିଛନ୍ତି – ” ମେଡିକାଲ କ୍ୟାମ୍ପ କେଉଁ ପରିସ୍ଥିତିରେ ମେଡିସିନ ବାଣ୍ଟିଛି। ଯଦି ମେଡିକାଲ କ୍ୟାମ୍ପକୁ ଏତେ ପରିମାଣର ଔଷଧ ଦିଆଯାଇପାରୁଛି ତେବେ ହସ୍ପିଟାଲ ମାନେ ମଧ୍ୟ ଔଷଧ କିଣି ପାରିବେ। ବିଜେପି ସାସଂଦ ଗୌତମ ଗମ୍ଭୀରଙ୍କୁ କଡା ସମାଲୋଚନା କରି କୋର୍ଟ କହିଛନ୍ତି ଏଭଳି ସଙ୍କଟ ସମୟରେ ଜନସେବା ନାମରେ ସେ ଔଷଧ ଷ୍ଟକ୍ ରଖି ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ଏଭଳି ଘୃଣ୍ୟ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ଉଚିତ୍।

Related Posts