ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା କୁମ୍ଭୀର ଗଣନା; ୨୨ ଟିମ୍ ନିୟୋଜିତ

ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀ, ନାଳ ଗୁଡ଼ିକରେ ଥିବା ବଉଳା କୁମ୍ଭୀର ଗୁଡିକୁ ଗଣନା କରାଯିବ। ସୋମବାର ଠାରୁ ୩ ଦିନ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। କୁମ୍ଭୀର ବିଶେଷଜ୍ଞ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି।

ତେବେ କୁମ୍ଭୀର ଗଣନା ପାଇଁ ମୋଟ ୨୨ ଟିମ୍ ନିୟୋଜିତ ହୋଇଛନ୍ତି l ପ୍ରତି ଟିମ୍‌ରେ ୪ ରୁ ୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି l ରାଜନଗର ବନଖଣ୍ଡର ୪ଟି ରେଞ୍ଜ କନିକା, ଡାଙ୍ଗମାଳ, ଗହୀରମଥା, ଓ ମହାକାଳପଡ଼ା ଅଞ୍ଚଳରେ ଗଣନା କରାଯିବ। ଏଥିପାଇଁ ଜାନୁଆରୀ ୪ ଓ ୫ ତାରିଖ ଦୁଇ ଦିନ ଧରି ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ହୁଲି ଡଙ୍ଗାରେ ଗଣନାକାରୀମାନେ ରାତିରେ ସ୍ପଟଲାଇଟି ମାଧ୍ୟମରେ ଗଣନା କରିବେ। ତେବେ ଚଳିତ ବର୍ଷ ପ୍ରଥମ କରି ମୋବାଇଲ ଆପ୍ ସାହାଯ୍ୟରେ ଗଣନା କରାଯାଉଛି। ଗତବର୍ଷ ଭିତରକନିକାରେ ୧୭୬୮ କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଥିଲା। କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନ ବର୍ତ୍ତମାନ ୧୦ଦିନ ପାଇଁ ବନ୍ଦ ରହିଛି।

Related Posts