ଦକ୍ଷିଣ-ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ଘନୀଭୂତ ହୋଇ ନେବ ଲଘୁଚାପର ରୂପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ।

ତେବେ ବାତ୍ୟା ହେଲେ ତାର ପ୍ରଭାବ କଣ ରହିବ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ । ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି ।

ତେବେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ଥିବାରୁ ବିଭିନ୍ନ ମଡେଲ୍ ଅନୁସାରେ ବାତ୍ୟା ସମ୍ଭାବନା ରହୁଥିବା ୯ରୁ ୧୦ ତାରିଖ ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଇନକୋଇସ୍ ଓ ୱିଣ୍ଡି ଭଳି କିଛି ମଡେଲ୍ ଆକଳନ କରିଛି। ତେବେ ଦୁଇ ଦିନ ପରେ ବାତ୍ୟା ଚିତ୍ର ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏତତ ବ୍ୟତୀତ, କାଳବୈଶାଖୀ କାରଣରୁ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଛି । ଆସନ୍ତା ୪ ରୁ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଘଡଘଡି ସହ ବର୍ଷା ନେଇ ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି

ସେପଟେ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା। ପାଟଣାଗଡ଼ରେ ସର୍ବାଧିକ ୨୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୋରରେ ପବନ ସହ ବର୍ଷା ହୋଇଥିଲା। ସଂଧ୍ୟା ବେଳେ ପ୍ରାୟ ୩-୪ ଘଣ୍ଟା ଧରି କାଳବୈଶାଖୀ ବର୍ଷା ଲାଗିରହିଥିଲା। ସେହିପରି ଗଜପତି ଓ କୋରାପୁଟରେ ମଧ୍ୟ ହାଲକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଥିଲା।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର।

Related Posts