ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ

ମୁମ୍ବାଇ : ସଡ଼କ ଦୁର୍ଘଟଣାରେ ଦେଶ ଜଣାଶୁଣା ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ । ମୁମ୍ବାଇ ଅହମ୍ମଦାବାଦ ରାସ୍ତାରେ ଥିବା ପାଲଘର ଜିଲ୍ଲାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତରଭାବେ ଆହତ ହୋଇଥିଲେ । ତେବେ ତାଙ୍କୁ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା ।

କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ପାଲଘରଠାରେ ବର୍ଷା ଜାରି ରହିଥିବାବେଳେ ତାଙ୍କ କାର ଦ୍ରୁତ ଗତିରେ ଯାଉଥିଲା । ଏହା ଫଳରେ ଡ୍ରାଇଭର କାର ଉପରୁ ନିଜର ନିୟନ୍ତ୍ରଣ ହରାଇବା ପରେ କାରଟି ରାସ୍ତାର ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ଥିବା ଆଉ ଦୁଇଜଣ ବ୍ୟକ୍ତ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୂର୍ଯ୍ୟା ନଦୀ ଉପରେ ଥିବା ପୋଲ ଉପରେ ଏହି ଦୁର୍ଘଟଣା ହୋଇଥିବା ପାଲଘର ଏସପି କହିଛନ୍ତି ।

୧୯୬୮ରେ ମୁମ୍ବାଇର ଏକ ପାର୍ସି ପରିବାରରେ ଜନ୍ମ ଗ୍ରହଣ କରିଥିବା ସାଇରସ ଆୟରଲାଣ୍ଡର ନାଗରିକତା ଗ୍ରହଣ କରିଥିଲେ । ସେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ଥିଲେ । ୨୦୧୬ ଅକ୍ଟୋବର ମାସରେ ଟାଟା ସନ୍ସର ବୋର୍ଡ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଭୋଟ ଦେଇଥିଲା । ଏହା ପରେ ମିସ୍ତ୍ରୀଙ୍କୁ ହଟାଇଦିଆଯାଇଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ । ତେବେ ସୁପ୍ରିମକୋର୍ଟ ଟାଟା ଗ୍ରୁପ ସପକ୍ଷରେ ରାୟ ଶୁଣାଇଥିଲେ ।

Related Posts