ସାଇରସ ମିସ୍ତ୍ରୀଙ୍କ କାର୍‌ ଦୁର୍ଘଟଣା ଘଟଣା: ଗାଡି ଚଳାଉଥିବା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: କାର୍‌ ଦୁର୍ଘଟଣାରେ ଆଖି ବୁଜିଥିବା ଶିଳ୍ପପତି ତଥା ଟାଟା କମ୍ପାନୀର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ଗାଡି ଚଳାଉଥିବା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାଇରସ୍ ମିସ୍ତ୍ରୀଙ୍କ କାର୍ ଚଳାଉଥିବା ମୁମ୍ବାଇର ପ୍ରତିଷ୍ଠିତ ଗାଇନକୋଲୋଜିଷ୍ଟ(ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର) ଅନହିତା ପାଣ୍ଡୋଲେଙ୍କ ବିରୋଧରେ ଥାନାରେ ମାମଲା ହୋଇଛି।

ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରର ପାଲଘର ଠାରେ ସାଇରସ ମିସ୍ତ୍ରୀଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କର ସିଲଭର ମର୍ସିଟିଜ୍ କାର୍ ଦ୍ରୁତ ଗତିରେ ଚାଲୁଥିବା ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାର୍‌କୁ ଚଳାଉଥିଲେ ମୁମ୍ବାଇର ପ୍ରତିଷ୍ଠିତ ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ଅନହିତା ପାଣ୍ଡୋଲେ।

ଘଟଣାରେ ତଦନ୍ତ କରୁଥିବା ମୁମ୍ବାଇ ପୁଲିସ ଅନହିତାଙ୍କ ସ୍ୱାମୀ ଡାରିଉସ ପାଣ୍ଡୋଲେଙ୍କର ବୟାନ ରେର୍ଡ କରିଥିଲା। ସ୍ୱାମୀଙ୍କ ବୟାନ ଅନୁସାରେ ଅନହିତାଙ୍କ ବିରୋଧରେ ମାମଲା ରୁଜୁ କରିଛି ପାଲଘର ପୁଲିସ୍। ଏହି ଦୁର୍ଘଟଣାରେ ଅନହିତା ମଧ୍ୟ ଗୁରୁତର ଆହତ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା।

ଅକ୍ଟୋବର ମାସ ଶେଷ ବେଳକୁ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରଯାଇଥିଲା। ଅନହିତାଙ୍କ ବିରୋଧରେ ହତ୍ୟାରହିତ ଅପରାଧିକ ମାମଲା ମାମଲା ରୁଜୁ ହୋଇଛି। ଏହା ହତ୍ୟା ମାମଲା ହୋଇନଥିବା ବେଳେ ଘଟଣାରେ ତଦନ୍ତ ଜାରି ରହିଛି

Related Posts