(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗତ କାଲି ବିଶ୍ଵର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଅଲମ୍ପିକ୍ ୨୦୨୦ ର ଉଦଯାପନୀ ସମାରୋହ ଥିଲା। ଭାରତ ଚଳିତ ଅଲିମ୍ପିକ୍ସରେ ୭ଟି ପଦକ ଜିତି ଇତିହାସ ସୃଷ୍ଟି କରିଛି। ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ କ୍ରୀଡ଼ାକୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା ହେଉଛି। କ୍ରୀଡାବିତଙ୍କ ସଫଳତାକୁ ନେଇ ସେମାନଙ୍କୁ ପ୍ରଶଂସିତ କରାଯାଉଛି। ମିରାବାଇ ଚାନୁଙ୍କ ଠାରୁ ଆରମ୍ଭ କରି ନୀରଜ ଚୋପ୍ରାଙ୍କ ସଙ୍ଘର୍ଷର କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।
ଏହା ମଧ୍ୟରେ ଖବର ଆସିଛି ଯେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଜଣେ ମହିଳା ନ୍ୟାସନାଲ୍ ପଦକ ବିଜେତା ଖେଳ ଛାଡ଼ି ପାର୍କିଂ ପ୍ଲେସ୍ ରେ ଟିକେଟ୍ କାଟୁଛନ୍ତି। ଏହି ଘଟଣା ହେଉଛି ଚଣ୍ଡିଗଡର। ବୟସ ୩୨,ନାମ ରିତୁ ପୂର୍ବତନ ବକ୍ସିଂ ସ୍କୁଲ୍ ନ୍ୟାସନାଲ୍ ପଦକ ବିଜେତା ତଥା ଇଣ୍ଟର ସ୍କୁଲ୍ ପଦକ ବିଜେତା ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବା କାରଣରୁ ଗତ ଏକ ବର୍ଷ ପୂର୍ବରୁ ଖେଳ ଛାଡ଼ି ଦେଇ ସେକ୍ଟର ୨୨ ଶାସ୍ତ୍ରୀ ମାର୍କେଟ ପାର୍କିଂ ପ୍ଲେସ୍ ରେ ଟିକେଟ୍ କଲେକ୍ଟର ଭାବରେ କାର୍ଯ୍ୟ କରିଆସୁଛନ୍ତି ।
ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରିତୁ ୨୦୧୭ ରେ ଖେଳ ଛାଡ଼ି ଏହି କାମ କରୁଛନ୍ତି। ବର୍ତ୍ତମାନ ଦିନକୁ ୩୫୦ ଟଙ୍କା ବେତନରେ ବ୍ୟସ୍ତ ବହୁଳ ପାର୍କିଂରେ ରସିଦ ସଂଗ୍ରହ ଏବଂ ରସିଦ ଦେବାରେ ବିତାଉଛନ୍ତି। ରିତୁ କୁହନ୍ତି, “ଯେହେତୁ ମୋ ବାପା ୨୦୧୭ ରେ ଅସୁସ୍ଥ ହୋଇପଡିଥିଲେ, ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବଂ ପରିବାରର ପରିସ୍ଥିତିକୁ ଦେଖି ମୋତେ ବକ୍ସିଂ ଏବଂ ଅନ୍ୟାନ୍ୟ କ୍ରୀଡା ଛାଡିବାକୁ ପଡିଲା। ମୋର ତିନି ଜଣ ଭାଇ ଅଛନ୍ତି । ସେମାନେ ମୋହାଲି ଏବଂ ଚଣ୍ଡିଗଡ଼ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବାବେଳେ ସେହି ଆୟରୁ ଆମ ପରିବାର ଚଳାଇବା ସମ୍ଭବ ହେଉ ନାହିଁ। ତେଣୁ, ମୁଁ ପାର୍କିଂ ଆଟେଣ୍ଡାଣ୍ଟର କାମ ଆରମ୍ଭ କରିଦେଲି । ଏହା କାମ କରିବା ମୋ ପାଇଁ କଷ୍ଟ ସାବ୍ୟସ୍ତ ହେଉଛି କିନ୍ତୁ ମୋ ପାଖରେ ଆଉ ଅନ୍ୟ ବିକଳ୍ପ ନାହିଁ ।
୨୦୧୫ ମସିହାରେ ସରକାରୀ ବାଳିକା ସିନିୟର ମାଧ୍ୟମିକ ବିଦ୍ୟାଳୟର ସେକ୍ଟର ୨୦-ବି ରେ ପାଠପଢୁଥିବା ସମୟରେ ଫିଜିକାଲ ଏଜୁକେସନ୍ ଶିକ୍ଷକ ପରମଜିତ ସିଂଙ୍କ ପାଖରେ ରିତୁ କୁସ୍ତି ଶିଖିବା ଆରମ୍ଭ କରିଥିଲେ। ସେ ୨୦୧୬ ମସିହାରେ UT ପ୍ରଶାସନ ଦ୍ବାରା ଆୟୋଜିତ ୬୩ କିଲୋଗ୍ରାମ ବର୍ଗରେ ଇଣ୍ଟର ସ୍କୁଲ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ, ସେହି ବର୍ଷ ଓପନ୍ ଇଣ୍ଟର ସ୍କୁଲ୍ ଟୁର୍ନାମେଣ୍ଟରେ ରୈପ୍ୟ ଜିତିବା ସଙ୍ଗେ ସଙ୍ଗେ ସେ ତେଲେଙ୍ଗାନାରେ ସ୍କୁଲ ଫେଡେରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ସ୍କୁଲ୍ ନ୍ୟାସନାଲ୍ ଗେମ୍ସରେ ବକ୍ସିଂରେ ୬୩ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ଜିତିଥିଲେ । ଏବଂ ସେହି ଟୁର୍ନାମେଣ୍ଟରେ କୁସ୍ତି ଏବଂ ଭଲିବଲ୍ ରେ ଚଣ୍ଡିଗଡ଼ ସ୍କୁଲ୍ ଟିମ୍ ରେ ସାମିଲ୍ ହୋଇଥିଲେ।
ରିତୁ କହିଛନ୍ତି, “ମୁଁ ଯାହା ବି ଖେଳିଥିଲି, ମୁଁ ସେହି ତିନି ବର୍ଷ ବିଦ୍ୟାଳୟରେ ଖେଳିଥିଲି। ମୋତେ ୨୦୧୭ ରେ ସ୍କୁଲ ଛାଡିବାକୁ ପଡିଲା, ସେବେଠାରୁ ଖେଳ ମୋ ପାଇଁ ବନ୍ଦ ହୋଇଗଲା । ସ୍କୁଲ ନ୍ୟାସନାଲ ଖେଳିବାରେ ମୋର ଭଲ ସ୍ମୃତି ଅଛି । ଯଦି ମୁଁ ସେତେବେଳେ ସମର୍ଥନ ପାଇଥା’ନ୍ତି, ତେବେ ମୁଁ ଖେଳିବା ଜାରି ରଖିଥା’ନ୍ତି । ମୋର କେହି କୋଚ୍ ନଥିଲେ କିମ୍ବା ଉପଯୁକ୍ତ ତାଲିମ ମିଳୁ ନ ଥିବାରୁ ମୁଁ ଚଣ୍ଡିଗଡ଼ ରାଜ୍ୟ କିମ୍ବା ବକ୍ସିଂ ଚଣ୍ଡିଗଡ଼ ଏବଂ ବକ୍ସିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ନ୍ୟାସନାଲ ଇଭେଣ୍ଟରେ ଖେଳିପାରିଲି ନାହିଁ।
ସେ ସ୍ପୋର୍ଟସ୍ କୋଟା ଅଧୀନରେ ଚାକିରି ପାଇଁ ଆବେଦନ କରିଥିଲେ, କିନ୍ତୁ ଜୁନିୟର ଏବଂ ସିନିୟର ସ୍ତରରେ ଜାତୀୟ ଫେଡେରେସନ୍ ଦ୍ୱାରା ଆୟୋଜିତ ଇଭେଣ୍ଟରେ ପଦକ ଜିତିନଥିବାରୁ ରିତୁ ସ୍ପୋର୍ଟସ୍ କୋଟା ଅଧିନରେ ଚାକିରି ପାଇନଥିଲେ। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଭାରତୀୟ ସେନା ଏବଂ ବିହାର ପୋଲିସରେ ଭର୍ତ୍ତି ପାଇଁ ଆବେଦନ କରିଛି ଏବଂ ପରୀକ୍ଷା ଦେବା ଅପେକ୍ଷା କରିଛି। ଅତୀତରେ, ମୁଁ ଥରେ UT ପୋଲିସରେ ହୋମ ଗାର୍ଡ ପଦ ପାଇଁ ଆବେଦନ କରିଥିଲି କିନ୍ତୁ ଫିଜିକାଲ ଟେଷ୍ଟ ପରେ ଏହି ପୋଷ୍ଟକୁ ବାତିଲ କରିଦିଆଯାଇଛି ବୋଲି ରିତୁ କହିଛନ୍ତି।
ଜଣେ ପୂର୍ବତନ ବକ୍ସିଂ ଖେଳାଳି କହିଛନ୍ତି ଯେ ଏହିପରି ଯୁବ କ୍ରୀଡ଼ା ପ୍ରତିଭା ମାନଙ୍କୁ UT ପ୍ରଶାସନ କେନ୍ଦ୍ରରେ ତାଲିମ ଦିଆଯିବା ଉଚିତ୍। ସେ କହିଛନ୍ତି “ଏହା ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ସେମାନେ ଏଭଳି ଖେଳାଳିଙ୍କୁ UT ପ୍ରଶାସନର ସ୍ୱତନ୍ତ୍ର କୋଚିଂ ସେଣ୍ଟରକୁ ପଠାଇବା ଉଚିତ। ଏହିପରି ଖେଳାଳୀମାନଙ୍କୁ ସରକାରୀ ସେଣ୍ଟରରେ ମାଗଣାରେ ତାଲିମ ଦିଆଯିବା ଆବଶ୍ୟକ। ଏବଂ ଯେତେବେଳେ ଖେଳାଳିମାନେ ବକ୍ସିଂ ଇଣ୍ଡିଆ କିମ୍ବା ବକ୍ସିଂ ଚଣ୍ଡିଗଡ଼ ପ୍ରତିଯୋଗିତାରେ ପଦକ ଜିତନ୍ତି, ସେତେବେଳେ ସେମାନଙ୍କୁ ମଧ୍ୟ ଚାକିରୀ ଦିଆଯିବାର ଆବଶ୍ୟକତା ରହିଛି। “