ବାଳିକା ବଧୂର ‘ଦାଦି ସା’ ନାମରେ ପରିଚିତ ପ୍ରଖ୍ୟାତ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ୭୫ ବର୍ଷ ବୟସରେ ନିଧନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ଦାଦି ସା ନାମରେ ପରିଚିତ ସୁରେଖା ସିକ୍ରିଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି। ହୃଦ୍‌ଘାତ ହେତୁ ସେ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଚର୍ଚ୍ଚିତ ଟିଭି ସିରିଏଲ ‘ବାଲିକା ବଧୂ’ରେ ‘ଦାଦି ସା’ ଭୂମିକାରେ ଅଭିନୟ କରିଥିବା ସୁରେଖାଙ୍କ ମୃତ୍ୟୁ ଯୋଗୁଁ ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି। ଶୁକ୍ରବାର (ଜୁଲାଇ 16) ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।  

 ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଅନେକ ଟିଭି ଶୋ ଏବଂ ଅନେକ ଚଳଚ୍ଚିତ୍ରରେ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।  ନିକଟରେ ସେ ମସ୍ତିଷ୍କରେ ଆଘାତର ଶୀକାର ହୋଇଥିଲେ।  2018 ରେ, ସେ ପକ୍ଷାଘାତର ଶିକାର ମଧ୍ୟ ହୋଇଥିଲେ ।

 19 ଏପ୍ରିଲ 1945 ରେ ଦିଲ୍ଲୀରେ ଜନ୍ମ ହୋଇଥିବା ସୁରେଖା ସିକ୍ରି ଆଲମୋରା ଏବଂ ନୈନିତାଲରେ ତାଙ୍କର ବାଲ୍ଯ ଜୀବନ ଅତିବାହିତ କରିଥିଲେ। ସୁରେଖାଙ୍କ ପିତା ବାୟୁସେନାରେ ଥିଲେ ଏବଂ ତାଙ୍କ ମା ଜଣେ ଶିକ୍ଷକ ଥିଲେ।  1971 ରେ ସୁରେଖା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ। ତାଙ୍କୁ ‘ତମାସ୍’, ‘ମାମୋ’ ଏବଂ ‘ବାଦାଇ ହୋ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ତିନିଥର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।  ଏଥି ସହିତ, ସେ 1989 ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ।

 ସୁରେଖା ହେମନ୍ତ ରେଗେଙ୍କୁ ବିବାହ କରିଥିଲେ, ତାଙ୍କର ଏକ ପୁଅ ଅଛନ୍ତି ଯାହାଙ୍କ ନାମ ହେଉଛି ରାହୁଲ ସିକ୍ରି । 50 ବର୍ଷ ଧରି ତାଙ୍କ ଅଭିନୟ କ୍ୟାରିୟରରେ ସୁରେଖା ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ । ସେ କିସା କୁର୍ସି କା, ତମାସ୍, ସରଫରୋଶ, ଦିଲାଗି, ହରି ଭାରୀ, ଜୁବେଡା, କାଳୀ ସାଲୱାର, ରଘୁ ରୋମିଓ, ରେନକୋଟ୍, ତୁମ୍ସା ନାହି ଦେଖା, ହମ୍କୋ ଦେୱାନା କର ଗାଏ, ନାସିମ, ସର୍ଦ୍ଦାର ବେଗମ୍, ବଧାଇ ହୋ, ଶିର କୋରମାରେ କାର୍ଯ୍ୟ କରିଥିଲେ।  ଟିଭି ଶୋ ବିଷୟରେ କହିବାକୁ ଗଲେ ଟିଭି ସୋ ବାଳିକା ବଧୁ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ କରାଇଥିଲା। ସୂରେଖାଙ୍କୁ ସପୋର୍ଟିଂ ଅଭିନେତ୍ରୀ ପାଇଁ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।

Related Posts