ବ୍ରାଜିଲ୍‌ରେ ଛାତି ଥରା ଦୃଶ୍ୟ, ଖଣି ବନ୍ଧ ଭାଙ୍ଗି ସୃଷ୍ଟି ହେଲା ସୁନାମି ଭଳି ସ୍ଥିତି

ବ୍ରାଜିଲ୍‌ରେ ଗତ ଜାନୁଆରୀ ୨୫ ତାରିଖରେ ଘଟିଥିଲା ଗୋଟିଏ ଘଟଣା । ଯାହାର ଲୋମଟାଙ୍କୁରା ଚିତ୍ର ଏବେ ଆସିଛି ସାମ୍ନାକୁ । କୋଇଲା ଖଣି ଉପରେ ନିର୍ମିତ ବନ୍ଧ ଭାଙ୍ଗିଲା ତ ସୃଷ୍ଟି ହେଲା ସୁନାମି ଭଳି ସ୍ଥିତି । ଏହି ଦୁର୍ଘଟଣା ୬୫ ଲୋକଙ୍କର ଜୀବନ ନେଇଥିବାବେଳେ ଏବେ ବି ନିଖୋଜ ଅଛନ୍ତି ୩୫୦ରୁ ଅଧିକ ଲୋକ ।

ଗତ ଜାନୁଆରୀ 25 ତାରିଖରେ ବ୍ରାଜିଲ୍‌ର ବ୍ରୁମାଡିନୋ ସହରରେ ହୋଇଥିବା ଏହି ଭୟାନକ ଘଟଣା ଫଳରେ ସେଠାରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ବ୍ରାଜିଲର ଦକ୍ଷିଣ ପୂର୍ବ ଭାଗରେ ଥିବା ମିନାସ ଗେରାଇସ ରାଜ୍ୟରେ ଏହି ଅଘଟଣ ଘଟିଥିଲା । ବ୍ରୁମାଡିନୋ ସହରରେ ଥିବା ଏକ କୋଇଲା ଖଣି ଉପରେ ନିର୍ମିତ ଏକ ବନ୍ଧ ହଠାତ୍‌ ଭାଙ୍ଗିଗଲା । ଯାହା ଫଳରେ ସୃଷ୍ଟି ହେଲା ସୁନାମି ଭଳି ସ୍ଥିତି । ମାଟି ଧସିଲା ମାଡ଼ି ଆସିଲା ସୁନାମି ଭଳି ମାଟି ଓ ପାଣି ।

ଏହାକୁ ଦେଖି ରାସ୍ତା ପାଖରେ ଲୋକେ, ଧାଁ ଦୌଡ଼ କଲେ । ନିଜ ନିଜର ଗାଡ଼ି ପଛକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସମ୍ଭବ ହୋଇନଥିଲା । ଏହି ତାଣ୍ଡବରେ 65 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 350ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ଉଦ୍ଧାରକାରୀ ଦଳ ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରଖିଛନ୍ତି ଉଦ୍ୟମ । ରହି ରହି ହେଉଥିବା ବର୍ଷା ଫଳରେ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି । ବହୁ ନିଖୋଜ ଲୋକଙ୍କ ପରିଜନ ନିଜ ଆତ୍ମୀୟଙ୍କୁ ଖୋଜିବାରେ ଲାଗିଛନ୍ତି ।

ମିନାସ ଗେରାଇସ ରାଜ୍ୟର ଗଭର୍ଣ୍ଣର କହିଛନ୍ତି ଏ ଘଟଣା ପାଇଁ ଦୋଷୀଙ୍କୁ କ୍ଷମା ଦିଆଯିବ ନାହିଁ । ଏହି ଖାଦାନର ମାଲିକାନା ରହିଛି ଖାଦାନର କମ୍ପାନୀ ହ୍ବେଲ୍‌ ପାଖରେ । ଗତ ଶୁକ୍ରବାର ମଧ୍ୟାହ୍ନରେ ଯେତେବେଳେ ବନ୍ଧ ଭାଙ୍ଗିଲା ସେତେବେଳେ ଖଣି କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ କରୁଥିଲେ । ଦେଖୁ ଦେଖୁ ଭାଙ୍ଗିଗଲା ପୁରା ବନ୍ଧ । ଆଉ ସବୁଆଡ଼େ ଦେଖାଗଲା କେବଳ ଆବର୍ଜନା ।

ବ୍ରାଜିଲ୍‌ ରାଷ୍ଟ୍ରପତି ଓ ସରକାରୀ ଅଧିକାରୀମାନେ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଜୈର କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କଲେ । ଏଥିସହ ସେ ଟ୍ବିଟ୍‌ କରି କହିଲେ ଯେ ଏମିତି ଦୃଶ୍ୟ ଦେଖି ଭାବୁକ ନ ହୋଇ କେହି ରହି ପାରିବନି । ପ୍ରଥମେ କୁହାଯାଇଥିଲା ଯେ 100 ଜଣ ଶ୍ରମିକଙ୍କୁ ଖାଦାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଏବଂ 200 ଜଣ ନିଖୋଜ ହୋଇଥିଲେ । କିନ୍ତୁ ଦମକଳ ବାହିନୀ ଏହି ସଂଖ୍ୟା ସାଢ଼େ ତିନି ଶହରୁ ଅଧିକ ବୋଲି କହିଛନ୍ତି ।

Related Posts