ବୋଲ୍‌ସୋନାରୋଙ୍କୁ ପରାସ୍ତ କରି ବ୍ରାଜିଲ୍‌ ର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଲୁଲା ଦା ସିଲ୍‌ଭା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶିଷ୍ଟ ବାମପନ୍ଥୀ ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ରବିବାର ଦିନ ବ୍ରାଜିଲ୍‌ର ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହା ସହିତ ସେ ବ୍ରାଜିଲର ୩୯ତମ ରାଷ୍ଟ୍ରପତି ହୋଇଛନ୍ତି।

ତୀବ୍ର ପ୍ରତିଦ୍ବନ୍ଦ୍ବିତ‌ାରେ ଲୁଲା ବ୍ରାଜିଲ୍‌ର ରାଷ୍ଟ୍ରପତି ଥିବା ଉଗ୍ର ଦକ୍ଷିଣପନ୍ଥୀ ବୋସୋନାରୋଙ୍କୁ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ‘ସୁପ୍ରିମ୍‌ ଇଲେକ୍ଟୋରାଲ୍‌ କୋର୍ଟ ଅଫ୍‌ ଦି କଣ୍ଟ୍ରି’ ଅନୁସାରେ, ବୋଲ୍‌ସୋନାରୋ ୪୯.୧% ଭୋଟ୍‌ ପାଇଥିବା ବେଳେ ଲୁଲା ୫୦.୯% ଭୋଟ୍‌ ପାଇଛନ୍ତି।

ବାମପନ୍ଥୀ ଗଣତାନ୍ତ୍ରିକ ନେତା ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍‌ର ରାଷ୍ଟ୍ରପତି ହେବେ। ପୂର୍ବରୁ ସେ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଦୁଇ ଥର ବ୍ରାଜିଲ୍‌ର ରାଷ୍ଟ୍ରପତି ହୋଇଥିଲେ।

ତେବେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ରବିବାର ରାତିରେ ଦେଇଥିବା ଭାଷଣରେ ଲୁଲା କହିଛନ୍ତି ଯେ, ବିଭାଜିତ ହୋଇଯାଇଥିବା ଦେଶକୁ ସେ ଏକତ୍ର କରି ସୁନିଶ୍ଚିତ ହେବେ ଯେ, ବ୍ରାଜିଲୀୟମାନେ କଦାପି ଉଠାଇବା ଅନୁଚିତ ଥିବା ଅସ୍ତ୍ର ପରିହାର କରିଛନ୍ତି।ଏହାଛଡ଼ା, ଆମେଜନ୍‌ ଉଷ୍ମମଣ୍ଡଳୀୟ ଅରଣ୍ୟ ସଂରକ୍ଷଣ ଏବଂ ବୈଶ୍ବିକ ବାଣିଜ୍ୟକୁ ଆହୁରି ନିରପେକ୍ଷ କରିବା ନିମନ୍ତେ ସେ ଆନ୍ତର୍ଜାତିକ ସହଯୋଗ ଲୋଡ଼ିଛନ୍ତି ବୋଲି ‘ରଏଟର୍ସ’ ରିପ‌ୋର୍ଟ କରିଛି।

ତେବେ କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ଖାମ୍‌ଖିଆଲି ମନୋଭାବ ଯୋଗୁଁ ଦେଶରେ ୭ ଲକ୍ଷ ଜନତାଙ୍କ ମୃତ୍ୟୁ, ଦେଶର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ବିଫଳତା ଏବଂ ଦେଶର ଋଣ ଓ ଅଭିବୃଦ୍ଧି ଶୋଚନୀୟ ହୋଇପଡ଼ିବା ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି ବୋଲି ସମୀକ୍ଷକମାନେ କହୁଛନ୍ତି।

ଇଲେକ୍ଟ୍ରୋନିକ୍‌ ପଦ୍ଧତି ହୋଇଥିବା ବ୍ରାଜିଲ୍‌ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ମତଦାନ ଶେଷ ହେବାର ୨ ଘଣ୍ଟା ମଧ୍ୟରେ ପ୍ରକାଶ ପାଇଥିଲା। ରବିବାର ସନ୍ଧ୍ୟା ୫ଟାରେ ମତଦାନ ଶେଷ ହୋଇଥିଲା। ଏହାପରେ ଲୁଲାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଜାନୁଆରି ୧ ତାରିଖରେ ଲୁଲା ବ୍ରାଜିଲର ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

Related Posts