ଗ୍ୟାଙ୍ଗଟକ(ସତ୍ୟପାଠ ବ୍ୟୁରୋ): ସିକିମର ନାମଚି ଜିଲ୍ଲାରେ ନିର୍ମାଣାଧୀନ ତିସ୍ତା ଷ୍ଟେଜ୍-୫ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ଧସିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୨୨ କୁ ବୃଦ୍ଧି ପାଇଛି। ବୁଧବାର ଓ ଗୁରୁବାର ମଧ୍ୟରେ ଉଦ୍ଧାରକାରୀ ଦଳ ସୁଡ଼ଙ୍ଗ ଭିତରୁ ଆଉ କେତେକ ମୃତଦେହ ଉଦ୍ଧାର କରିବା ପରେ ଏହି ସଂଖ୍ୟା ବଢ଼ିଛି। ସୋମବାର ମିଥେନ୍ ଗ୍ୟାସ୍ ଯୋଗୁଁ ଘଟିଥିବା ବିସ୍ଫୋରଣ ପରେ ପ୍ରକଳ୍ପ ଭିତରେ ୨୫ ଜଣ ଶ୍ରମିକ ଫସି ରହିଥିଲେ, ଯେଉଁଥିରୁ ଅବଶିଷ୍ଟ ୩ ଜଣ ନିଖୋଜ ଶ୍ରମିକଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ବିଶେଷଜ୍ଞ ଟିମ୍ ଦ୍ୱାରା ଉଦ୍ଧାର ଅଭିଯାନ ଜାରି ରହିଛି। ସିକିମ୍ ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହ ପୀଡ଼ିତ ପରିବାରଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ି, ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ, ଝାଡ଼ଖଣ୍ଡ ଓ ସିକିମର ଶ୍ରମିକମାନେ ସାମିଲ ଅଛନ୍ତି। ଏହି ଦୁର୍ଘଟଣା ପରେ ଏନଏଚପିସି ମୃତ ଶ୍ରମିକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି। ଏହାସହ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦,୦୦୦ ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।
