ଦାମ ବାବୁଙ୍କୁ ଜଣା ପ୍ରାସଙ୍ଗିକ ରହିବାର କଳା

ଗତ ଦୁଇ ଦଶନ୍ଧି ଭିତରେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା । ବିଜୁ ବାବୁଙ୍କ ପରମ ଶିଷ୍ୟ ବୋଲି ନିଜର ପରିଚୟ ଦେଉଥିବା ଡାକ୍ତର ଦାମୋଦର ରାଉତ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ପଦବୀ ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଲେ । ବିବାଦୀୟ ଘଟଣାକ୍ରମରେ ଦାମ ବାବୁ ବିଜୁ ଜନତା ଦଳରୁ ବିଦା ହେଲେ ତ ଅନୁମାନ କରାଯାଉଥିଲା ଯେ ପୂର୍ବରୁ ନବୀନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ରାଜ୍ୟର ଅନ୍ୟ ନେତାମାନଙ୍କ ଭଳି ଦାମ ବାବୁ ବି କିଛି ଦିନ ପରେ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ହଜିଯିବେ । ଓଡ଼ିଶା ରାଜନୀତିରେ ଦାମ ବାବୁ ବି ଅପ୍ରାସଙ୍ଗିକ ହୋଇ ରହିଯିବେ । କିନ୍ତୁ ବିଜୁ ଜନତା ଦଳ ବାଦ୍‌ ବି ଦାମ ବାବୁ ନିଜର ପରିଚୟ ହରାଇ ନାହାନ୍ତି ।

ନିଜର ନିଆରା ବୟାନ ରଖିବା ଢଙ୍ଗକୁ ବଜାୟ ରଖି ଦାମ ବାବୁ କେବଳ ଯେ ଗଣମାଧ୍ୟମର ଶୀର୍ଷକରେ ରହିଛନ୍ତି ତାହା ନୁହେଁ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କାର୍ଯ୍ୟଶୈଳୀ ନେଇ ବିଷୋଦଗାର କରିଚାଲିଛନ୍ତି ।

ନିକଟରେ ଦାମ ବାବୁ କହିଛନ୍ତି ‘ମୁଁ ରାଜନୈତିକ ଦଳ କରେ ବା ନ କରେ ମୁଁ ସମସ୍ତଙ୍କୁ ଆଗାମୀ ନିର୍ବାଚନରେ ସାହାଯ୍ୟ କରିବି ନବୀନ ଓ ବିଜେପି ବ୍ୟତୀତ ।’ ସାରା ଓଡ଼ିଶା ଦୃଶ୍ୟପଟ୍ଟରେ ନ ହେଲେ ବି ନିଜ ଜିଲ୍ଲା ଜଗତସିଂହପୁରରେ ଦାମ ବାବୁଙ୍କର ଯେ ଅଖଣ୍ଡ ପତିଆରା ରହିଛି, ସେଠି ଦାମ ବାବୁ ଯେ ଗେମ୍‌ ଚେଞ୍ଜର ହୋଇପାରିବେ, ବିଜେଡିର ଅଙ୍କ ବିଗାଡ଼ି ଦେଇପାରିବେ ଏକଥା କେହି ଅସ୍ବୀକାର କରିବେ ନାହିଁ ।

କିଛି ଦିନ ତଳେ ନୂଆ ଦଳ ଗଢ଼ିବା କଥା କହି ଏକ ଗୁଗ୍‌ଲି ପକାଇଥିଲେ ଦାମ ବାବୁ ଆଉ ଏବେ ନିର୍ବାଚନରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ନେଇ ବୟାନ ପ୍ରମାଣିତ କରୁଛି ଯେ 2019 ପାଇଁ ଏକ ଭିନ୍ନ ବଲ୍‌ର ଗେମ୍‌ ଖେଳୁଛନ୍ତି ଦାମ ବାବୁ । ହୋଇପାରେ ବିଜେଡିରେ ଥିବା କିନ୍ତୁ ନବୀନଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରୁଥିବା କିଛି ନେତାଙ୍କ ସମର୍ଥନ ଦାମ ବାବୁ ପାଇପାରନ୍ତି । ଏହାଛଡ଼ା ବିଜେପି ବିରୋଧୀ ମାନେ ମଧ୍ୟ ତାଙ୍କ ସମର୍ଥନ ଦେବେ । ଏହି କଥାର ତାତ୍ପର୍ଯ୍ୟ ଏଥିପାଇଁ ରହିଛି ଯେ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ସ୍ପଷ୍ଟ କରିଛନ୍ତି ଦାମ ବାବୁ । ଆଉ ଗତ ବିଜେଡିରୁ ବାହାରିବା ପରେ ତାଙ୍କ କାର୍ଯ୍ୟଶୈଳୀ ଦାମ ବାବୁଙ୍କ ଭଳି ପୋଖତ ରାଜନେତାଙ୍କ ନିଆରା ଶୈଳୀକୁ ଦର୍ଶାଉଛି ।

ତାହା ହେଲା ଦଳରୁ ଯିବା ପରେ ବି ଲଗାତାର ସଭାସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ପୁଣି କୌଣସି ରାଜନେତାଙ୍କୁ ନୁହେଁ, ବରଂ ସମାଜସେବୀ, ସୂଚନାଅଧିକାର କର୍ମୀ, ସାମ୍ବାଦିକମାନଙ୍କୁ ସାଙ୍ଗରେ ଧରି ଚାଲୁଛନ୍ତି ।

ପ୍ରାୟ 19 ବର୍ଷର ରାଜନୈତିକ ଇନିଂସ୍‌ ଭିତରେ ନବୀନ ବହୁ ପୋଖତ ନେତାଙ୍କୁ ବୋଲ୍ଡ କରିବା ସହ ସ୍ଥାୟୀ ଭାବେ ରିଟାୟାର୍ଡ ହର୍ଟ କରିଛନ୍ତି । ଏ ସବୁର ଉଦାହରଣ ହେଉଛନ୍ତି କାଳନ୍ଦୀ ବେହେରା, ସୁର ନାୟକ, ପ୍ରଫୁଲ୍ଲ ଘଡ଼େଇ, ପଞ୍ଚାନନ କାନୁନ୍‌ଗୋଙ୍କ ଭଳି ନେତା । ବିଜୟ ମହାପାତ୍ରଙ୍କ ଭଳି ନେତା ବି ଅଛନ୍ତି ଯିଏ ବିଜେପିରେ ଥାଇ ବି ନିରବ ଅଛନ୍ତି । ନିକଟରେ ବିଜେଡିରୁ ତଡ଼ା ଖାଇଥିବା ବୈଜୟନ୍ତ ପଣ୍ଡା ମଧ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ସେପରି ଚର୍ଚ୍ଚାରେ ନାହାନ୍ତି । କିନ୍ତୁ ଦାମ ବାବୁ ଏମାନଙ୍କ ସମସ୍ତଙ୍କଠାରୁ ଭିନ୍ନ ନିଜର ପ୍ରାସଙ୍ଗିକତା ବଜାୟ ରଖିଛନ୍ତି । ଲଗାତାର ଭାବେ ନବୀନ ଓ ତାଙ୍କ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରୁଛନ୍ତି ।

ଏଥିରୁ ଗୋଟିଏ ନିର୍ଯ୍ୟାସ ବାହାର କରାଯାଇପାରେ ଯେ ଦାମ ବାବୁଙ୍କୁ ତିଷ୍ଠି ରହିବାର କଳା । ନିଜର ପଲିଟିକାଲ୍‌ ଏକ୍‌ଜିଷ୍ଟାନ୍ସ ପାଇଁ ଦାମ ବାବୁ ଅତ୍ୟନ୍ତ ସନ୍ତର୍ପଣରେ ଗୋଟି ଚାଳନା କରୁଛନ୍ତି । ଏଥିପାଇଁ ବିଜେଡି ବି ତାଙ୍କୁ ହାଲୁକା ଭାବେ ନେଉନାହିଁ । ଆଉ ନବୀନଙ୍କ ବିରୋଧରେ କହିବାକୁ ବା ଛିଡ଼ାହେବାକୁ ସାହସ କରିପାରୁନଥିବା ନେତାଏ ଏବେ ଦାମ ବାବୁଙ୍କ ରୂପରେ ନୂଆ ସମ୍ଭାବନା ଦେଖୁଛନ୍ତି ।

Related Posts