ଛତିଶଗଡ଼ ମହାସମର, ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ପ୍ରଚାର ଶେଷ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ । ଲଗାତାର ଦ୍ବିତୀୟ ଦିନ ପାଇଁ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସୋମବାର ହେବ ଭୋଟଗ୍ରହଣ ।

ମାଓ ପ୍ରଭାବିତ 8ଟି ଜିଲ୍ଲାର 18ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ମଇଦାନରେ ଅଛନ୍ତି 190 ଜଣ ପ୍ରାର୍ଥୀ । ଛତିଶଗଡ଼ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ରମଣ ସିଂହ ଚଳିତ ଥର ବିଜୟ ଲାଭ କରି ଲଗାତାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ଅନ୍ୟପଟେ ଦୀର୍ଘ ବର୍ଷ ସରକାର ବିରୋଧରେ ସୃଷ୍ଟି ହୋଇଥିବା ଅସନ୍ତୋଷର ଫାଇଦା ନେବା ପାଇଁ କଂଗ୍ରେସ ଚେଷ୍ଟା କରୁଛି ।

କଂଗ୍ରେସ କେନ୍ଦ୍ର ସରକାରର ବିଫଳତା, ବିମୁଦ୍ରିକରଣ, ରାଫେଲ ଭଳି ପ୍ରସଙ୍ଗକୁ ନେଇ ପ୍ରଚାର ଚଳାଇଛି । ବିଜେପି କିନ୍ତୁ ଆଦିବାସୀ କାର୍ଡ ସାଙ୍ଗକୁ ମାଓବାଦୀଙ୍କୁ କଂଗ୍ରେସ ନେତା କ୍ରାନ୍ତିକାରୀ କହିବାକୁ ପ୍ରସଙ୍ଗ କରିଛି । ସେପଟେ କଂଗ୍ରେସରୁ ଇସ୍ତଫା ଦେଇ ଅଜିତ ଯୋଗୀ, ବିଏସ୍‌ପି ସହ ମେଣ୍ଟ କରି ଉଭୟ ବିଜେପି ଓ କଂଗ୍ରେସ ବିରୋଧରେ ପ୍ରଚାର କରୁଛନ୍ତି ।

ଆଜି ପ୍ରଚାରର ଅନ୍ତିମ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ମାଓ ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ହେଉଥିବାରୁ ଉଭୟ ବୁଥ, ପ୍ରାର୍ଥୀଙ୍କ ସୁରକ୍ଷା ଆଦିକୁ କଡ଼ାକଡି କରାଯାଇଛି ।

Related Posts