ବିଜେପି ଛାଡ଼ିଲେ ଦାମ

ବିଜେପି ଛାଡ଼ିଲେ ବରିଷ୍ଠ ନେତା ଦାମୋଦର ରାଉତ । ଏନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି ଦାମ । ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନିଷ୍ପତି ପ୍ରକ୍ରିୟାରେ ମୋର ଉପସ୍ଥିତି ବା ସମ୍ପୃକ୍ତି ଆଦୌ ଆବଶ୍ୟକତା ହେଉନଥିବା ମୁଁ ଅନୁଭବ କରୁଛି । ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରିଛି । ଅଲୋଡା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସମ୍ପୁର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି ବୋଲି ଲେଖିଛନ୍ତି ଦାମ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗିକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କର ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ବିଜେପିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛି ।

ଦାମବାବୁଙ୍କ ବିଜେପି ଛାଡ଼ିବା ନେଇ ଗତ ଜୁଲାଇ 8 ତାରିଖରେ ସତ୍ୟପାଠରେ ଯେଉଁ ରିପୋର୍ଟ ପ୍ରକାଶ କରାଯାଇଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି । ଉଭୟ ବିଜେଡି ଓ ବିଜେପିର ବୈଷ୍ଣବ ଭକ୍ତି ପରେ ଦାମବାବୁ ଏହି ନିଷ୍ପତି ନେଇ ସାରିଥିବା ଖବର ସତ୍ୟପାଠରେ ପ୍ରକାଶ କରିଥିଲୁ । ନିର୍ବାଚନ ପରଠୁ ବିଜେପି ଉପରୁ ମୋହ ଛଡାଇ ସାରିଥିଲେ ଦାମବାବୁ । ସେ କାଳେ ସ୍ୱାଧିନରେ ଛିଡା ହୋଇଥିଲେ ବି ଜିତିଥାନ୍ତେ କେବଳ ବିଜେପିକୁ ଗଲେ ବୋଲି ଲୋକେ ଭୋଟ ଦେଲେନି । ଏମିତି ତାଙ୍କ ନିଜ ଲୋକ କୁଆଡେ ବୁଝାଇଥିଲେ ଦାମବାବୁଙ୍କୁ । ଆଉ ସେ ବି ବୁଝି ଯାଇଥିଲେ । କଥା ହେଉଛି, ନବୀନଙ୍କୁ ହରାଇବାକୁ ପଦ୍ମ ପୋଖରୀକୁ ଡେଇଁ ପଡ଼ିଥିଲେ ଦାମବାବୁ କିନ୍ତୁ ନମୋ-ନବୀନଙ୍କ ଭିତରେ ଥିବା ମଧୁର ସମ୍ପର୍କ ଦାମଙ୍କୁ ବ୍ୟଥିତ କରିଥିଲା । ଯାହା ପାଇଁ ଏତେ ନାଟ, ଶେଷକୁ ତାରି ସହ ଦଳ ହାତ ମିଳାଇବା ସ୍ୱାଭିମାନୀ ଦାମ ରାଉତଙ୍କୁ ଅଣନିଶ୍ୱାସୀ କରିଥିଲା । ଖାଲି ସେତିକି ନୁହେଁ, ଦଳରେ ନିଆଯାଉଥିବା ଅନେକ ବଡ ନିଷ୍ପତିରେ ଦାମ ବାବୁଙ୍କୁ କେହି ପଚାରୁ ନଥିବା ସତ୍ୟପାଠରେ ପ୍ରକାଶ ପାଇଥିଲା ।

ଅନ୍ୟପଟେ ବିଜେପିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସେ କହିଛନ୍ତି, ମୁଁ ଯେଉଁ ରାଜନୈତିକ ଦଳରେ ଥିଲି ସେ ଦଳ ମୋତେ ଆବଶ୍ୟକ କରୁନାହିଁ ବୋଲି ମୁଁ ଅନୁଭବ କଲି । କାରଣ କୌଣସି ଦଳୀୟ କାର୍ଯ୍ୟକ୍ରମ ତଥା ନୀତି-ନିଷ୍ପତି ପ୍ରକ୍ରିୟାରେ ମୋର ସଂପୃକ୍ତି ସେମାନେ ଆବଶ୍ୟକ କରୁନାହାଁନ୍ତି । ଦୀର୍ଘ ୪୬ ବର୍ଷ ରାଜ୍ୟ ରାଜନୀତିର ଶୀର ଭାଗରେ ଥାଇ ଚଳଚଞ୍ଚଳ ଜୀବନ ବିତାଉଥିବା ଜଣେ ବ୍ୟକ୍ତି ବୟସ ହେଲା ପରେ ଘରେ ନିକମା ହୋଇ ବସିବା ବହୁତ କଷ୍ଟ ଦେଇଛି । ମାନସିକ ସନ୍ତୁଳନ ଘଟୁଛି ତେଣୁ ମୁଁ ବୁଝିଲି ଏଣିକି ଆଉ କୌଣସି ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ ନକରି କୌଣସି ଦଳରେ ଯୋଗ ନଦେଇ ସାଧାରଣ ଜୀବନ ଯାପନ କରିବି ବୋଲି ନିଷ୍ପତି ନେଇ ଇସ୍ତଫା ଦେଇଛି । ତେବେ ରାଜନୀତି କରିବାକୁ ଇଚ୍ଛା ରହିଛି ମାତ୍ର କୌଣସି ଦଳୀୟ ତଥା ପଦ ପଦବୀ ଆଶାରେ କୌଣସି ନିର୍ବାଚନ ଲଢିବି ନାହିଁ ବା କୌଣସି ରାଜନୈତିକ ଦଳର ହାତବାରିସ୍ ନହୋଇ ସାଧାରଣ ଲୋକଙ୍କର ସେବା କରିବି ବୋଲି କହିଛନ୍ତି ଦାମ ରାଉତ

Related Posts