ଗମ୍ଭୀରଙ୍କ ଦ୍ବାରା ଫାବିଫ୍ଲୁ ବଣ୍ଟନର ତଦନ୍ତ କରିବ ଡିସିଜିଆଇ : ଦିଲ୍ଲୀ ହାଇକୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା। କରୋନା ଔଷଧ ଫାବି ଫ୍ଲୁ ବଣ୍ଟନ କରିବା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ହାଇକୋର୍ଟ ଭାରତୀୟ ଔଷଧ ନିୟନ୍ତ୍ରକ ନିର୍ଦେଶାଳୟ (ଡିସିଜିଆଇ)କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି (AAP) ର ଦୁଇ ଜଣ ବିଧାୟକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଗମ୍ଭୀର ଜଣେ ଜାତୀୟ ସ୍ତରୀୟ ଖେଳାଳି କିମ୍ବା ଜଣେ ରାଜନେତା ହୋଇଥାଇ ପାରନ୍ତି। ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥାଇ ପାରନ୍ତି। କିନ୍ତୁ ମହାମାରୀ ସମୟରେ ଯେତେବେଳ ମାର୍କେଟରେ ଏହି ଔଷଧର ଘୋର ଅଭାବ ଥିଲା ସେତେବେଳେ ଗମ୍ଭୀର ବହୁ ପରିମାଣରେ ଔଷଧ କିଣି ଠୁଳ କରିବା କେତେ ଠିକ୍ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ହାଇକୋର୍ଟ କହିଛନ୍ତି, ଯଦିଓ ତାଙ୍କ ଉଦ୍ଦେଶ୍ୟ ଠିକ୍‌, କିନ୍ତୁ ସେ ଏକ ସମୟରେ ବହୁ ପରିମାଣର ଔଷଧ କିଣି ଅନିଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି, ଯାହା କିଛି ବି ତଦନ୍ତ ହୋଇଛି, ବର୍ତ୍ତମାନ ଡିସିଜିଆଇ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉ। ଡିସିଜିଆଇ ପକ୍ଷରୁ ଓକିଲ ନନ୍ଦିତା ରାଓ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରାଯିବ।
ଗୌତମ ଗମ୍ଭୀରଙ୍କ ବିଷୟରେ କୁହାଯାଇଛି ଯେ , ଜଣେ ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନ୍ ଆଧାରରେ ଗର୍ଗ 2628 ଷ୍ଟ୍ରିପ୍ କିଣି ବାଣ୍ଟି ଥିଲେ । କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ ବାଣ୍ଟିବା ପରେ 285 ଟି ଷ୍ଟ୍ରିପ୍ ବଳକା ଥିଲା ଯାହା DGHS କୁ ଦିଆଯାଇଛି । ଏ ସମ୍ପର୍କରେ ମଧ୍ୟ ତଦନ୍ତ କରିବାର ଆବଶ୍ୟକତା ଅଛି। ଡ୍ରଗ୍ ଡିଲରମାନେ ଗୋଟିଏ ପ୍ରେସକ୍ରିପସନ୍ ରେ ଏତେ ପରିମାଣର ଫାବି ଫ୍ଲୁ କିପରି ଦେଇଛନ୍ତି ତାହା ଦେଖିବାକୁ ପଡ଼ିବ । ଯେହେତୁ ଏହା ଡ୍ରଗ୍ କଣ୍ଟ୍ରୋଲରଙ୍କ ଅଧୀନରେ ଆସୁଛି, ସଂଗୃହିତ ମେଡିସନ୍ କୁ ଦିଲ୍ଲୀର ଡ୍ରଗ୍ କଣ୍ଟ୍ରୋଲରଙ୍କ ଅଧୀନରେ ରଖିବା ଉଚିତ୍ ବୋଲି କୋର୍ଟ କହିଛନ୍ତି ।

Related Posts