
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ କିନ୍ତୁ କରୋନା କାଳରେ ଡାକ୍ତର ସାଜିଛନ୍ତି ଗୁଜୁରାଟର ବିଜେପି ବିଧାୟକ। ଏହି ବିଧୟକ ହେଉଛନ୍ତି ଗୁଜରାଟ ସୁରତର କାମରେଜ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭିଡି ଝାଲାଭାଡିୟା ସେ ସୁରତରେ ଥିବା ସରଥାନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେମଡେସିଭିର ଇଞ୍ଜେକସନକୁ ଭିଆଲରୁ ସିରିଞ୍ଜରେ ଭର୍ତ୍ତି କରି କରୋନା ରୋଗୀଙ୍କ ଦେହରେ ଲାଗିଥିବା ସାଲାଇନ୍ରେ ଦେଉଥିବା ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ବିଧାୟକ ଜଣକ ସାଲାଇନ୍ରେ ଇଞ୍ଜେକସନ ଭର୍ତ୍ତି କରୁଥିବା ବେଳେ ଏହା ଥରେ ମୋଡ଼ି ହୋଇଯାଇଥିଲା। ତଥାପି ସେ ଇଞ୍ଜେକସନ ଦେଇଛନ୍ତି। ଇଞ୍ଜେକସନ ଦେବା ସମୟରେ ତାଙ୍କ ଚାରି ପାଖରେ ଡାକ୍ତର ଓ ନର୍ସ ମଧ୍ୟ ଉପସ୍ଥିତ ଥିଲେ। ତଥାପି ବି ବିଧାୟକ ଜଣଙ୍କ ରେମଡେସିଭିର ଭିଆଲରୁ ଇଞ୍ଜେକସନ ସିରିଞ୍ଜରେ ଭର୍ତ୍ତି କରି କରୋନା ରୋଗୀଙ୍କ ଶରୀରରେ ଲାଗିଥିବା ସାଲାଇନ୍ରେ ଭର୍ତ୍ତି କରିଥିଲେ। ତେବେ ଭିଡିଓ ଭାଇରାଲ ହେବା ପରେ ବିଜେପି ବିଧାୟକ କଡା ସମାଲୋଚନାର ଶିକାର ହୋଇଛନ୍ତି। କଂଗ୍ରେସ ମଧ୍ୟ ଘଟଣାର କଡା ନିନ୍ଦା କରିଛି। ଦଳର ମୁଖପାତ୍ର ଜୟରାଜସିନ୍ ପରମାର କହିଛନ୍ତି, “ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିତିନ ପଟେଲ ପଞ୍ଚମ ଶ୍ରେଣୀ ପଢିଥିବା ଝାଲାଭାଡିୟଙ୍କଠାରୁ କିଛି ଶିଖିବା ଉଚିତ୍ ଉଚିତ ଏବଂ ବିଜେପିର ବିଧାୟକ ଓ କର୍ମକର୍ତ୍ତାମାନେ ଇଞ୍ଜେକ୍ସନ ଦେବା ଏବଂ ଡ୍ରେସିଙ୍ଗ୍ କରିବା ପାଇଁ ସେଣ୍ଟର ଖୋଲିବା ଉଚିତ। । ଏହା ଦ୍ବାରା ରାଜ୍ୟର ଡାକ୍ତରଖାନା ଗୁଡିକରେ ଡାକ୍ତରୀ କର୍ମଚାରୀଙ୍କ ଅଭାବ ସମସ୍ୟା ମଧ୍ୟ ସମାଧାନ ହୋଇଯିବ। ” ଏପଟେ ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ରଖି ବିଧାୟକ ଝାଲାଭାଡିୟା ନିଜର ଏହି କାମ ପାଇଁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ,” ଯଦି ମୁଁ କିଛି ଭୁଲ କରିଥିଲି, ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି। କିନ୍ତୁ ମୁଁ ଏହା ସେବା ଉଦ୍ଦେଶ୍ୟରେ ଏହା କରୁଥିଲି। ବିଗତ ୪୦ ଦିନ ମଧ୍ୟରେ ଆମେ ୨୦୦ରୁ ଅଧିକ କରୋନା ରୋଗୀଙ୍କୁ ସୁସ୍ଥ କରି ଘରକୁ ପଠାଇଛୁ। ମୁଁ ରୋଗୀଙ୍କୁ ସିଧାସଳଖ ଇଞ୍ଜେକ୍ସନ ଦେଇ ନାହିଁ। ” ତେବେ ବିଧାୟକଙ୍କ ଏହି ବିବାଦୀୟ କାମ ପ୍ରଥମ ନୁହେଁ। ଫେବୃଆରୀ 2018 ରେ, ତାଙ୍କ ପୁଅ ଶରଦ ଦୁଇଥର ଏବଂ ଅଗଷ୍ଟ 2019 ରେ ରାଜନୈତିକ ଏବଂ ବ୍ୟବସାୟିକ ବିବାଦକୁ ନେଇ ଧମକ ଦେବା ଅଭିଯୋଗରେ ଗିରଫ କରାଯାଇଥିଲା। ସେହିପରି ନଭେମ୍ବର 2020 ରେ, ଝାଲାଭାଡିୟଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ କରି ନାତୁଣୀଙ୍କ ଜନ୍ମଦିନ ପାଳନ କରିଥିଲେ।