ଯୁବକଙ୍କୁ ଚାପୁଡ଼ା ମାରିଥିବା ଜିଲ୍ଲାପାଳଙ୍କ ବିରୋଧରେ ମାମଲା ଦାୟର କରନ୍ତୁ : ଛତିଶଗଡ଼ ସରକାରଙ୍କୁ ଏନସିପିସିଆରଙ୍କ ନିର୍ଦ୍ଦେଶ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ଛତିଶଗଡ଼ ସୂରଜପୁର ଜିଲ୍ଲାର ଜିଲ୍ଲାପାଳ ରଣବୀର ଶର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାରେ ଛତିଶଗଡ଼ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) । ରଣବୀର ଶର୍ମାଙ୍କ ବିରୋଧରେ ମାମଲା ଦାୟର କରିବା ପାଇଁ ଏନସିପିସିଆର ଛତିଶଗଡ଼ ସରକାରଙ୍କୁ କହିଛନ୍ତି। ଏହା ସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଲକଡାଉନ୍ ସମୟରେ ସୂରଜପୁର ଜିଲ୍ଲାର ଜିଲ୍ଲାପାଳ ରଣବୀର ଶର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତା’ର ମୋବାଇଲକୁ ଭାଙ୍ଗିଦେଇଥିଲେ, ଯାହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳଙ୍କୁ ତତ୍କାଳ ପ୍ରଭାବରେ ପଦରୁ ହଟାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟୁଇଟ୍ କରି ଲେଖଛନ୍ତି ଯେ ,” ସୋସିଆଲ ମିଡିଆ ମାଧ୍ୟମରେ ସୂରଜପୁରରୁ ଜିଲ୍ଲାପାଳ ରଣବୀର ଶର୍ମାଙ୍କ ଦ୍ୱାରା ଜଣେ ଯୁବକଙ୍କୁ ଦୁର୍ବ୍ୟବହାର ମାମଲା ମୋ ନଜରକୁ ଆସିଛି । ଏହା ବହୁତ ଦୁଃଖଦ ଓ ନିନ୍ଦନୀୟ। ଛତିଶଗଡ଼ରେ ଏଭଳି କାମକୁ ବରଦାସ୍ତ କରାଯିବନି। ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ତତ୍କାଳ ପ୍ରଭାବରେ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉଛି ।” ସୂଚନାଯୋଗ୍ୟ, ଶନିବାର ଜିଲ୍ଲାପାଳଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଜିଲ୍ଲାପାଳ ଶର୍ମା ଜଣେ ଯୁବକଙ୍କର ମୋବାଇଲକୁ ତଳେ ଫୋପାଡ଼ି ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା । ଏହାସହ ଯୁବକଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ । ଏହି ଭିଡିଓରେ ଯୁବକ ଜଣକ କରୋନା ଟେଷ୍ଟ କରାଇବାକୁ ଯାଇଥିଲେ ବୋଲି କହୁଛନ୍ତି । ଯୁବକଙ୍କ ହାତରେ ଗୋଟିଏ କାଗଜ ଥିଲା, ଯାହାକୁ ସେ ବାରମ୍ବାର ଦେଖାଇବାକୁ ପ୍ରୟାସ କରୁଥିଲେ । କିନ୍ତୁ ଜିଲ୍ଲାପାଳ ଶୁଣିନଥିଲେ। ତେବେ ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲାପାଳ ରଣବୀର ଶର୍ମା କ୍ଷମା ମାଗିଛନ୍ତି ।

Related Posts