Dear ବିଜେପି, ଦିଲ୍ଲୀକୁ ଆପଣଙ୍କର ଏତେ ଘୃଣା କାହିଁକି ? – କେଜ୍ରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଡୋର ଷ୍ଟେପ ରାସନ ଯୋଗାଣ ଯୋଜନାକୁ ନେଇ ଏବେ କେନ୍ଦ୍ର ଓ କେଜରିୱାଲ ସରକାର ମୁହାଁମୁହିଁ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ଏ ନେଇ ବିଜେପିକୁ ଟାର୍ଗେଟ କରିଛି। ଦଳ କଟାକ୍ଷ କରି କହିଛି ଯେ,” ଡିଅର୍ ବିଜେପି, ଆପଣ ଦିଲ୍ଲୀକୁ କାହିଁକି ଏତେ ଘୃଣା କରୁଛନ୍ତି ।”ଗରିବ ଲୋକଙ୍କ ଦୁଆର ମୁହଁରେ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ଦିଲ୍ଲୀ ସରକାର କରିଥିବା ଯୋଜନା ଉପରେ ରୋକ କେନ୍ଦ୍ର ସରକାର ରୋକ୍ ଲଗାଇଥିବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଡୋର ଷ୍ଟେପ ରାସନ ଯୋଗାଣ ଯୋଜନା ଦିଲ୍ଲୀ ସରକାର ମାତ୍ର କିଛି ଦିନ ମଧ୍ୟରେ ଲଞ୍ଚ କରିବାର ଥିଲା। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ଏହି ଯୋଜନାରେ ପ୍ରାୟ ୭୨ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଘର ପାଖରେ ରାସନ ଯୋଗାଣ କରାଯାଇଥାଆନ୍ତା। କିନ୍ତୁ ଏକ ଆଇନଗତ ମାମଲା ଏବଂ କେନ୍ଦ୍ରର ଅନୁମୋଦନ ଅଭାବରୁ ଏଲଜି ଏହି ଫାଇଲକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ନେଇ ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ଏଭଳି ଯୋଜନା ପାଇଁ କେନ୍ଦ୍ରର କୌଣସି ଅନୁମୋଦନ ଆବଶ୍ୟକ ନାହିଁ ଏବଂ ଆଇନଗତ ସମସ୍ୟା ମଧ୍ୟ ଏହି ଯୋଜନାକୁ ରୋକି ପାରିବ ନାହିଁ କାରଣ କୋର୍ଟ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି । ଦିଲ୍ଲୀର ଖାଦ୍ୟ ମନ୍ତ୍ରୀ ଇମ୍ରାନ ହୁସେନ୍ କହିଛନ୍ତି ଯେ ଏହି ଫାଇଲକୁ ରାଜନୈତିକ ଉଦ୍ଦେଶ୍ୟରେ ପ୍ରତ୍ୟାଖ୍ୟାନ କରାଯାଇଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରକୁ ସୂଚନା ଦେବା ପରେ ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ପରାମର୍ଶ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ମେ ୨୪ ରେ ଫାଇଲ ଅନୁମୋଦନ ପାଇଁ ଉପ ରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା, କିନ୍ତୁ ଏହାକୁ ଫେରସ୍ତ କରାଯାଇଛି। ତେବେ ଏ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ, ରାସନ ମାଫିଆଙ୍କ ସହ ଆପଣଙ୍କର କ’ଣ ସମ୍ପର୍କ ଅଛି ଯେଉଁଥି ପାଇଁ ଆପଣ କେଜ୍ରିୱାଲ ସରକାରଙ୍କ ଡୋର ଷ୍ଟେପ ରାସନ ଯୋଗାଣ ଯୋଜନା ଉପରେ ରୋକ୍ ଲଗାଇଛନ୍ତି ?” ଏହି ଯୋଜନା ଅନୁଯାୟୀ, ଦିଲ୍ଲୀର ପ୍ରତ୍ୟେକ ରାସନ କାର୍ଡ ହିତାଧିକାରୀଙ୍କ ଘରେ ସୁବିଧାରେ ୪ କିଲୋଗ୍ରାମ ଗହମ ଏବଂ ୧ କିଲୋଗ୍ରାମ ଚାଉଳ ଏବଂ ଚିନି ପାଇଥାନ୍ତେ ବୋଲି ସିଏମଓ ପକ୍ଷରୁ କୁହାଯାଇଛି। ଏହା ଦ୍ବାରା ରାସନ ମାଫିଆ ମାନଙ୍କୁ ରୋକା ଯାଇପାରିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ହିତାଧିକାରୀ ମାନେ ଉଚିତ ମୂଲ୍ୟରେ ଘରେ ରହି ରାସନ ପାଇପାରିବେ। ଏହି ଯୋଜନା ସେଣ୍ଟରର ୱାନ୍ ନେସନ୍ ୱାନ୍ କାର୍ଡ ସ୍କିମ୍ ସହିତ ମଧ୍ୟ ରହିଛି ବୋଲି ଏଥିରେ କୁହାଯାଇଛି।ଏହି ଯୋଜନା ମାର୍ଚ୍ଚ ୨୫ ରେ ଆରମ୍ଭ ହେବାର ଥିଲା। କିନ୍ତୁ କେନ୍ଦ୍ର କିଛି ଆପତ୍ତି ଉଠାଇଥିବା କାରଣରୁ ଦିଲ୍ଲୀ କ୍ୟାବିନେଟ୍ ଏଥିରେ ସଂସୋଧନ କରିଥିଲା ​​ବୋଲି ସିଏମଓ ପକ୍ଷରୁ କୁହାଯାଇଛି।

Related Posts