କର୍ଣାଟକ ବିଜେପି ରେ ସଙ୍କଟ ” ହାଇକମାଣ୍ଡ କହିଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି” – ୟେଦୂରପା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବୟାନକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ୟେଦୁରପ୍ପାଙ୍କ ବୟାନ ଏବେ ବିଜେପିରେ ଦଳୀୟ କନ୍ଦଳକୁ ପଦାରେ ପକାଇଛି। ଯେତେ ଦିନ ପର୍ଯ୍ୟନ୍ତ ବିଜେପି ହାଇକମାଣ୍ଡଙ୍କର ତାଙ୍କ ଉପରେ ବିଶ୍ୱାସ ଥିବ ସେତେ ଦିନ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହିଛନ୍ତି ବି ଏସ୍ ୟେଦ୍ୟୁରପ୍ପା। ତେବେ ତାଙ୍କର ଏହି ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରବିବାର ଦିନ ସେ କହିଛନ୍ତି ଯେ,” ଯେଉଁ ଦିନ ସେମାନେ (ହାଇକମାଣ୍ଡ) କହିବେ ଯେ ସେମାନେ ଆଉ ମୋତେ ଆବଶ୍ୟକ କରୁ ନାହାନ୍ତି, ସେହିଦିନ ମୁଁ (ୟେଦ୍ୟୁରପ୍ପା) ଇସ୍ତଫା ଦେଇ ଦେବି ଏବଂ ରାଜ୍ୟ ପାଇଁ ଦିନରାତି ଏକ କରି କାମ କରିବି। ଏ ନେଇ ମୋ ମନରେ କିଛି ଦ୍ୱନ୍ଦ୍ୱ ନାହିଁ।” ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ମୁଁ କୌଣସି ଦ୍ୱନ୍ଦ୍ୱରେ ନାହିଁ। ହାଇକମାଣ୍ଡ ମୋତେ ଏକ ସୁଯୋଗ ଦେଇଛନ୍ତି, ମୁଁ ମୋ ଦକ୍ଷତା ବାହାରେ ଯାଇ ଏହି ସୁଯୋଗର ସଦ୍ ଉପଯୋଗ କରିବା ପାଇଁ ଚେଷ୍ଟା କରୁଛି। ବାକି ସବୁ କଥା ହାଇକମାଣ୍ଡ ଉପରେ ଛାଡି ଦେଇଛି । ସେହିପରି ବିକଳ୍ପ ନେତୃତ୍ୱ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି,ମୁଁ କାହାକୁ ସମାଲୋଚନା କରିବି ନାହିଁ। କେହି ବିକଳ୍ପ ନେତା ନାହାନ୍ତି ବୋଲି ମୁଁ କହିବି ନାହିଁ। ରାଜ୍ୟରେ ଓ ଦେଶରେ ସବୁ ବେଳେ ବିକଳ୍ପ ଲୋକ ରହିଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ହାଇକମାଣ୍ଡ ମୋ ଉପରେ ଭରଷା ରଖିଛନ୍ତି ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବି। ” ୭୮ ବର୍ଷୀୟ ଲିଙ୍ଗାୟତ ନେତା ୟେଦ୍ୟୁରପ୍ପା ଖୋଲାଖୋଲି ମିଡିଆରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ ଏବଂ ରାଜ୍ୟ ବିଜେପିରେ ତାଙ୍କୁ ବଦଳାଇବା ପାଇଁ ଚାଲିଥିବା ଚର୍ଚ୍ଚା ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିକଟରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସି.ପି ଯୋଗେଶ୍ୱର ଏବଂ ହବବଲୀ-ଧରୱାଡ ପଶ୍ଚିମ ବିଧାୟକ ଅରବିନ୍ଦ ବେଲାଡଙ୍କ ଦିଲ୍ଲୀ ଗସ୍ତରେ ଆସି ହାଇ ହାଇ କମାଣ୍ଡଙ୍କୁ ଭେଟିବା ଏବଂ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟଶୈଳୀ ବିରୋଧରେ କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିବା ପରେ କର୍ଣ୍ଣାଟକ ବିଜେପିରେ ସଙ୍କଟ ସୃଷ୍ଟି କରିଥିଲା । ତେଣୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଚାଲିଥିବା ପ୍ରୟାସ ନେଇ ଯେଉଁ ଆକଳନ ହେଉଥିଲା , ତାହା ଆହୁରି ଦୃଢ଼ ହୋଇଯାଇଥିଲା। ଏଥିସହ ୟେଦ୍ୟୁରପ୍ପା ସରକାର ଗ୍ରହଣ କରିଥିବା କିଛି ନିଷ୍ପତ୍ତି, COVID ସଙ୍କଟକୁ ନିୟନ୍ତ୍ରଣ କରିବା ଏବଂ ଦୁର୍ନୀତି ଆଳରେ କିଛି ବିଧାୟକ ବିଧାୟକ ଦଳର ବୈଠକ ଡକାଇବାକୁ ଦାବି କରୁଥିବା କୁହାଯାଉଛି। ତେବେ ରାଜ୍ୟ ବିଜେପି ସଭାପତି ନଳୀନ କୁମାର କେଟେଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଆଲୋଚନାକୁ ଅସ୍ବୀକାର କରିଛନ୍ତି ଏବଂ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ସମାପ୍ତ କରିବେ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିକଟତର କୁହାଯାଉଥିବା ଅନେକ ବିଧାୟକ ମଧ୍ୟ ଏପରି ନେତୃତ୍ୱ ପରିବର୍ତ୍ତନକୁ ଅସ୍ବୀକାର କରିବା ସହ ୟେଦ୍ୟୁରପ୍ପା କାର୍ଯ୍ୟକାଳ ପୂରଣ କରିବେ ଏବଂ ଆଗାମୀ ଦୁଇ ବର୍ଷ ପରେ ଆଗାମୀ ନିର୍ବାଚନରେ ଦଳର ନେତୃତ୍ୱ ନେବେ ବୋଲି କହିଥିଲେ । ୟେଦ୍ୟୁରପ୍ପାଙ୍କ ପୁଅ ତଥା ରାଜ୍ୟ ବିଜେପି ଉପାଧ୍ୟକ୍ଷ ବି ୱାଇ ବିଜୟେନ୍ଦ୍ର ନିକଟରେ ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କ ସମେତ ଦଳର ପ୍ରମୁଖ ନେତାଙ୍କୁ ଭେଟିଥିଲେ ଏବଂ ଅସନ୍ତୁଷ୍ଟ ନେତାଙ୍କୁ ତାଗିଦ୍ କରିବାକୁ ଅନୁରୋଧ କରିଥିଲେ ବୋଲି ସୂଚନା ମିଳିଛି । ତେବେ ୟେଦ୍ୟୁରପ୍ପାଙ୍କ ବୟସକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ବିଜେପି ହାଇକମାଣ୍ଡ ବିଚାର କରୁଥିବା ନେଇ ଚର୍ଚ୍ଚା ହେଉଥିଲା ।

Related Posts