କଟକ: ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ, ପୋଲିସ କମିଶନରେଟ ପୋଲିସର ହସ୍ତଗତ ହେଲା ପୋଷ୍ଟମର୍ଟମ ରିପୋର୍ଟ। ଏସସିବିରୁ ମର୍କତନଗର ଥାନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ।
ବିଚାରପତି ନିଜେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ। ରଶିରେ ଝୁଲିବା ପରେ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଖବର ଅନୁଯାୟୀ, ଗତ ୨ ତାରିଖରେ ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା କରିଥିଲେ ।ହେଲେ ହତ୍ୟା ଅଭିଯୋଗ ଆଣି ସୁବାସଙ୍କ ପତ୍ନୀ ଓ ଶଳାଙ୍କ ନାମ ରେ ଅଭିଯୋଗ କରିଥିଲେ ପରିବାର ଲୋକ। ମର୍କତନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଉ ଏବେ ବିଚାରପତିଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି ।
ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏ ପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କୁ ପଚରାଉଚରା ସରିଲାଣି ।
ସେମାନଙ୍କ ମଧ୍ୟରେ ସୁବାସଙ୍କ ପତ୍ନୀ ଅପରାଜିତା ରାୟ, ଅପରାଜିତାଙ୍କ ସମ୍ପର୍କୀୟ ଭାଇ ସର୍ବୋଜିତ ରାୟ, ସୁବାସଙ୍କ ମାଆ ତୁଳଶୀ ବିହାରୀ, ତାଙ୍କ ଭାଇ ସୁବୋଧ ବିହାରୀ, ସୁବୋଧଙ୍କ ଡ୍ରାଇଭର, ଘରୋଇ ସହାୟକ, ପଡୋଶୀ ଓ ପୋକ୍ସୋ କୋର୍ଟର କିଛି କର୍ମଚାରୀ ମଧ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ବୟାନ ରେକର୍ଡ କରାଯାଇ ଥିବାବେଳେ ଆଉ କିଛି ଲୋକଙ୍କୁ କେବଳ ପଚରାଉଚରା କରାଯାଇଛି ।
ସେପଟେ ସୁବାସଙ୍କ ପତ୍ନୀ ଅପରାଜିତା ରାୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ତେବେ ଅପରାଜିତା ପୋଲିସକୁ ଦେଇଥିବା ନିଜ ବୟାନରେ ”ତାଙ୍କ ସ୍ବାମୀ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ମଧୁମେୟ ରୋଗ ସହିତ ଆଣ୍ଠୁ ଗଣ୍ଠି ପୀଡ଼ା ଓ ପାଟି ଭିତରେ ଘା’ ଭଳି ଅନେକ ରୋଗରେ ସେ ଆକ୍ରନ୍ତ ଥିଲେ । ଏଥିପାଇଁ ସେ ଅନେକ ସମୟରେ ଶାରିରୀକ କଷ୍ଟ ମଧ୍ୟ ଅନୁଭବ କରୁଥିଲେ । ସେହି ରୋଗ କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି” ବୋଲି କହିଛନ୍ତି ପତ୍ନୀ ଅପରାଜିତା ରାୟ ।
