“ଘୃଣା ଓ ବିଭାଜନ ରାଜନୀତି ପାଇଁ ବାପାଙ୍କୁ ହରାଇଥିଲି, ଏଥିରେ ଆଉ ମୋ ପ୍ରିୟ ଦେଶକୁ ହରାଇବି ନାହିଁ”: ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଘୃଣା ଓ ବିଭାଜନ ରାଜନୀତି ପାଇଁ ବାପାଙ୍କୁ ହରାଇଥିଲି, କିନ୍ତୁ ଘୃଣା ରାଜନୀତିରେ ଦେଶ ହରାଇବେ ନାହିଁ ବୋଲି ଆଜି କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସାଂସଦ ରାହୁଲ୍‌ ଗାନ୍ଧୀ ଆବେଗଭରା ଟୁଇଟ୍‌ କରିଛନ୍ତି। କନ୍ୟାକୁମାରୀରୁ ବିଶାଳ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କରିବା ପୂର୍ବରୁ ଆଜି ସକାଳେ ରାହୁଲ୍‌ ଗାନ୍ଧୀ ତାମିଲନାଡୁର ଶ୍ରୀପେରୁମ୍ବୁଦୁର୍‌ରେ ଥିବା ତାଙ୍କର ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମାରକୀ ଦର୍ଶନ କରିଥିଲେ। ତେବେ ୧୯୯୧, ମେ ୨୧ ତାରିଖ ଦିନ ଶ୍ରୀପେରୁମ୍ବୁଦୁର୍‌ ‘ଲିବରେସନ୍‌ ଟାଇଗର୍ସ ଅଫ୍‌ ତାମିଲ୍‌ ଏଲମ୍‌’ର ଜଣେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀ ନିହତ ହୋଇଥିଲେ।

ପିତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ସମୟ ଫଟୋ ସହିତ ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କରି ଲେଖିଛନ୍ତି ଯେ, ଘୃଣା ଏବଂ ବିଭାଜନ ରାଜନୀତିରେ ମୁଁ ମୋ ବାପାଙ୍କୁ ହରାଇଥିଲି। ଏଥିରେ ମୁଁ ମୋର ପ୍ରିୟତମ ଦେଶ ହରାଇବି ନାହିଁ। ଶ୍ରଦ୍ଧା ଘୃଣାକୁ ଜିଣିବ। ଆଶା ଆଶଙ୍କାକୁ ପରାସ୍ତ କରିବ। ଆମେ ଏକତ୍ର ହୋଇ ବିଜୟୀ ହେବା ବୋଲି ରାହୁଲ କହିଛନ୍ତି। ପିତାଙ୍କ ସ୍ମାରକୀ ଦର୍ଶନ କରି ରାହୁଲ୍‌ ଗାନ୍ଧୀ କନ୍ୟାକୁମାରୀରେ ଥିବା ମହାତ୍ମା ଗାନ୍ଧୀ ମଣ୍ଡପମ୍‌ରେ ଆୟୋଜନ କରାଯାଇଥିବା ଏକ କର୍ଯ୍ୟକ୍ରମକୁ ଯାଇଛନ୍ତି। ଯାତ୍ରାର ଶୁଭାରମ୍ଭ ନିମନ୍ତେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସେଠାରେ ତାଙ୍କୁ ଜାତୀୟ ପତାକା ହସ୍ତାନ୍ତର କରିବେ।

ଏନେଇ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି ଦେଶରେ ସବୁଠୁ ଦୀର୍ଘ ରାଜନୈତିକ ପଦଯାତ୍ରା। ଆଜି ସନ୍ଧ୍ୟା ୫ଟାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ଯାତ୍ରାର ଶୁଭାରମ୍ଭ କରାଯିବ। ଆଗାମୀକାଲି ସକାଳେ ୩,୫୦୦ କିଲୋମିଟର୍‌ ବିଶିଷ୍ଟ ଏହି ଦୀର୍ଘ ପଦଯାତ୍ରା କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଚାଲିବ। ଏହି ପଦଯାତ୍ରାରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ୧୧୮ ‘ଭାରତ ଯାତ୍ରୀ’ ଯୋଗ ଦେବେ ।

Related Posts