ବଲାଙ୍ଗୀରରେ ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଏକ ଭାଇରାଲ ଭିଡିଓ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ନିଶାନ୍ତଙ୍କ ମୃତ୍ୟୁ ରାଗିଂ ପାଇଁ ହୋଇଥିବା ସନ୍ଦେହକୁ ଦୃଢ଼ୀଭୂତ କରୁଛି। କଲେଜରେ କିଭଳି ରାଗିଂ ଚାଲିଥିଲା ନେଇ ନିଶାନ୍ତ ବିଦେଶରେ ରହୁଥିବା ତାଙ୍କର ଜଣେ ସାଙ୍ଗକୁ କହିଥିଲେ। ପ୍ରଥମେ ନିଶାନ୍ତଙ୍କ ଏହି ମୋବାଇଲ୍ ଚାଟିଂ ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କର ମୃତ୍ୟୁ ରାଗିଂ ପାଇଁ ଘଟିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ନିଶାନ୍ତଙ୍କ ବାପା ଡା. କ୍ରିଷନ କୁମାର ଉଠାଇଥିବା କିଛି ପ୍ରଶ୍ନ ପୁଣିଥରେ କଲେଜ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଛି। ଉକ୍ତ ଭିଡିଓ ଦେଖିବା ପରେ ସେ କହିଛନ୍ତି, ‘ଏବେ ଏକ ଭିଡିଓ ପାଇଲି, ଯେଉଁଥିରେ ଜଣେ ବ୍ୟକ୍ତି (ବୋଧହୁଏ ଵାର୍ଡେନ୍‌) ନିଶାନ୍ତଙ୍କ ପକେଟ୍‌ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

ନିଶାନ୍ତଙ୍କ ମୃତଦେହ ତଳେ ପଡିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପକେଟରେ ହାତ ପୂରାଇ କ’ଣ ଖୋଜୁଥିବା ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ସମୟରେ ସେଠାରେ ମେଡିକାଲ କଲେଜର ଡିନ୍ ମଧ୍ୟ ଉପସ୍ଥିତ ଅଛନ୍ତି । ଅପରପକ୍ଷରେ ମିଳିଥିବା ସୂଚନା ଅନୁସାରେ ନିଶାନ୍ତଙ୍କ ସୁଇସାଇଡ ନୋଟ ପୋଲିସକୁ ମିଳିଛି ।

ନିଶାନ୍ତଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିବା ବଦଳରେ କାଳେ ସୁଇସାଇଡ୍‌ ନୋଟ୍‌ ଥିବ ସେ ବ୍ୟକ୍ତି ଜଣକ ତାହା ପକେଟ୍‌ରୁ ଖୋଜୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଏହି ଭଡିଓ ଦେଖିବା ପରେ ଦୁର୍ଘଟଣା ସ୍ଥାନକୁ ନେଇ ମଧ୍ୟ ସେ ଦ୍ବନ୍ଦ୍ବରେ ଥିବା କହିଛନ୍ତି। କାରଣ ତାଙ୍କୁ ପ୍ରଥମେ ଦର୍ଶାଯାଇଥିବା ସ୍ଥାନ ଓ ଭିଡିଓରେ ଦେଖାଯାଉଥିବା ସ୍ଥାନ ସମାନ ନୁହେଁ ବୋଲି ସେ କହିଛନ୍ତି। ତେବେ, ପୁଲିସକୁ ନଜଣାଇ ନିଶାନ୍ତକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ କିଭଳି ନିଆଗଲା ଏବଂ କାହିଁକି ଚିକିତ୍ସା ପାଇଁ ତୁରନ୍ତ ନିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ରାଗିଂ ପାଇଁ ନିଶାନ୍ତଙ୍କ ମୃତ୍ୟୁ ହୋଇଥିବା କଥାକୁ ଭୀମଭୋଇ ମେଡିକାଲ୍‌ କଲେଜ୍‌ ଡିନ୍‌ ଅସ୍ବୀକାର କରି ଆସୁଥିବା ବେଳେ ଡା. କ୍ରିଷନ କୁମାରଙ୍କ ଏଭଳି ପ୍ରଶ୍ନ ଏବେ ପୁଣିଥରେ ମେଡିକାଲ୍‌ କଲେଜ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ଖାମଖିଆଲି ମନୋଭାବକୁ ଇଂଗିତ କରୁଛି ବୋଲି ରାଗିଂମୁକ୍ତ କ୍ୟାମ୍ପସ ଅଭିଯାନର ଆବାହାକ ତେଜେଶ୍ବର ପରିଡ଼ା ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

ଯଦି ରାଗିଂ ହୋଇନି, କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା, ତେବେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣକ ନିଶାନ୍ତଙ୍କ ପକେଟ୍‌ କାହିଁକି ଯାଞ୍ଚ କରୁଥିଲେ ବୋଲି ପ୍ରଶ୍ନ ଉଛିଠି। କାହା କଥାରେ ବ୍ୟକ୍ତି ଜଣକ ନିଶାନ୍ତଙ୍କ ପକେଟ୍‌ ଅଣ୍ଡାଳୁ ଥିଲେ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ଅନ୍ୟପଟେ ଯଦି ପୁଲିସକୁ ଅପେକ୍ଷା କରି କଲେଜ୍‌ କର୍ତ୍ତୃପକ୍ଷ ନିଶାନ୍ତଙ୍କୁ ଡାକ୍ତରଖାନା ନେଇ ନଥିଲେ, ତେବେ କାହା ଇଙ୍ଗିତରେ ନିଶାନ୍ତଙ୍କ ଶରୀରକୁ ବିନା ପୁଲିସର ଉପସ୍ଥିତିରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅଣାଗଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସର୍ବଭାରତୀୟ କୋଟାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନାଁ ଲେଖାଇଥିଲେ । ଡାକ୍ତର ହେବେ ଓ ପରିବାରର ଖ୍ୟାତି ବଢ଼ାଇବେ । ଏହାଥିଲା ତାଙ୍କର ଲକ୍ଷ୍ୟ। ହେଲେ କଲେଜରେ ମାତ୍ର ଦଶ ଦିନ ରହଣିରେ ଦଶା ଭୋଗିଲେ ପରିବାର ଲୋକେ । କଣ ହେଲା କେଜାଣି ଏବେ ନିଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ। ଯଦି ଆତ୍ମହତ୍ୟା, କଣ ହୋଇପାରେ ଆତ୍ମହତ୍ୟାର କାରଣ ? ଯଦି ହତ୍ୟା କିଏ, କାହିଁକି କଣ ପାଇଁ ନିଶାନ୍ତଙ୍କୁ ହତ୍ୟା କରିବ? କେବଳ ରାଗିଂ ପାଇଁ ଜୀବନ ଯାଇଛି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ? ପ୍ରାଥମିକ ତଦନ୍ତ ପରେ ବି ମୁହଁ ଖୋଲୁନି ପୁଲିସ ।

Related Posts