ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଆଉ ୫ ଦିନ ପାଇଁ ଇଡି ରିମାଣ୍ଡରେ ଗଲେ ସିସୋଦିଆ

ଭୁବନେଶ୍ୱର,୧୭/୩(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ୫ ଦିନ ପାଇଁ ନିଜ ହେପାଜତକୁ ନେଇଛି ଇଡି। ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଆଜି ସିସୋଦିଆଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି।

ଆଜି ଇଡି ପକ୍ଷରୁ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇ ଥିବାବେଳେ କୋର୍ଟ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ତେବେ ରିମାଣ୍ଡ ସରିବା ପରେ ସିସୋଦିଆଙ୍କୁ ୨୨ ମାର୍ଚ୍ଚରେ ପୁଣିଥରେ କୋର୍ଟରେ ହାଜର କରାଯିବ। ଏଥି ସହିତ ମନୀଷ ସିଡୋଦିଆଙ୍କୁ ତାଙ୍କ ଘରର ଖର୍ଚ୍ଚ ପାଇଁ ଚେକ୍ ସାଇନ୍ କରିବାକୁ ଏବଂ ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଇଡି ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ, ମନୀଷ ସିସୋଦିଆଙ୍କ ଇମେଲରେ ମିଳିଥିବା ତଥ୍ୟର ଫୋରେନସିକ୍ ବିଶ୍ଳେଷଣ କରାଯାଉଛି। ଇଡି ଅଭିଯୋଗ କରିଛି ଯେ, ସିସୋଦିଆ ତାଙ୍କ ଫୋନରୁ ସମସ୍ତ ତଥ୍ୟ ଜାଣିଶୁଣି ନଷ୍ଟ କରିଦେଇଛନ୍ତି, ତାଙ୍କୁ ପୁଣି ଥରେ ପ୍ରଶ୍ନ କରାଯିବା ଆବଶ୍ୟକ। ମନୀଷ ସିସୋଦିଆଙ୍କୁ ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲଙ୍କ କୋର୍ଟରେ ଇଡି ଦ୍ୱାରା ହାଜର କରାଯାଇଥିଲା। ରାଉସ୍ ଆଭେନ୍ୟୁ କୋର୍ଟ କମ୍ପ୍ଲେକ୍ସ ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସିସୋଦିଆଙ୍କ ଓକିଲ ଏହାକୁ ବିରୋଧ କରି ଅଦାଲତଙ୍କୁ କହିଛନ୍ତି ଯେ, ସିସୋଦିଆଙ୍କ ହେପାଜତ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିଲା ଏବଂ ଏହାକୁ ଅନ୍ୟ ଅଭିଯୁକ୍ତଙ୍କ ସହ ପଚରାଉଚରା କରିବାକୁ ହେବ। ଇଡି କୋର୍ଟଙ୍କୁ କହିଛନ୍ତି ଯେ ଆପ୍‌ ନେତା ମନୀଷ ସିସୋଦିଆଙ୍କ ଇମେଲରୁ ମିଳିଥିବା ତଥ୍ୟ ଓ ମୋବାଇଲ୍‌ ଫୋନ୍‌ର ମଧ୍ୟ ଫୋରେନସିକ୍ ଯାଞ୍ଚ କରାଯାଉଛି। ସିସୋଦିଆଙ୍କ ଓକିଲ ତାଙ୍କ ରିମାଣ୍ଡ ଅବଧି ବଢ଼ାଇବା ନେଇ ଇଡିର ଅନୁରୋଧକୁ ବିରୋଧ କରିଥିଲେ। ସେ କହିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା ପଚରାଉଚୁରେ ନାଁରେ ମାମଲାକୁ ଏପଟସେପଟ କରୁଛି। ଅପରାଧରୁ ମିଳିଥିବା ଆୟ ଉପରେ ତଦନ୍ତକାରୀ ସଂସ୍ଥା କୌଣସି ସ୍ପଷ୍ଟିକରଣ ରଖୁନାହିଁ। ଗତ ୭ ଦିନର ରିମାଣ୍ଡରେ ମନୀଷଙ୍କୁ କେବଳ ୧୧ ଘଣ୍ଟା ଜେରା କରାଯାଇଛି। ସିବିଆଇ ଏଫଆଇଆର୍‌ର କିଛି ଦିନ ମଧ୍ୟରେ, ଅଗଷ୍ଟ ୨୦୨୨ରେ ECIR ପଞ୍ଜିକୃତ କରିଥିଲା, ଏହି ସମୟରେ କମ୍ପ୍ୟୁଟର ଜବତ କରାଯାଇ ଯାଞ୍ଚ କରାଯାଇଥିଲା। ବର୍ତ୍ତମାନ ଇଡି ସମାନ ପ୍ରକ୍ରିୟା ପୁନରାବୃତ୍ତି କରିବାକୁ ଚାହୁଁଛନ୍ତି ବୋଲି ସେ କୋର୍ଟଙ୍କୁ କହିଥିଲେ।

Related Posts