ରିଟାର୍ଡ ଅଫିସରଙ୍କ ଅବସର ବିନୋଦନ କେନ୍ଦ୍ର ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ଶୁକ୍ରବାର ପୁଣି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବେ ଅବସରପ୍ରାପ୍ତ ଅଫିସରମାନଙ୍କ ଅବସର ବିନୋଦନ କେନ୍ଦ୍ର ପାଲଟିଛି ବୋଲି ଜୟନାରାୟଣ କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଓଡ଼ିଶାର ଯୁବକମାନେ କାମ ପାଉ ନାହାନ୍ତି, ସେତେବେଳେ ଏତେ ସଂଖ୍ୟାରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯିବା କେତେ ଯୁକ୍ତିଯୁକ୍ତ।

ସେଠାରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀମାନେ ହେଲେ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନ୍, ପ୍ରମୁଖ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର, ଗୋପବନ୍ଧୁ ଦାଶ ଓ ବି ପି ମିଶ୍ର। ସେମିତି ମନୋଜ ମିଶ୍ର ସର୍ବଭାରତୀୟ ସେବା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଲାପରେ ସେ ଜଣେ ଘରୋଇ ଲୋକ। ତାଙ୍କୁ ଆଣି ସିଧାସଳଖ ଆଇଟି ବିଭାଗର ସଚିବ କରିଦିଆଇଛି।


ଯେଉଁମାନେ କାଲି ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ କର୍ମଚାରୀ ଥିଲେ ସେମାନେ କେମିତି ତାଙ୍କର ଉପଦେଷ୍ଟା ହୋଇପାରିବେ? ଅଧୀନସ୍ଥ କର୍ମଚାରୀ ଆଜି ସେମାନଙ୍କ ଉପଦେଷ୍ଟା, ଏହା ଏକ ବିଚିତ୍ର ବ୍ୟବସ୍ଥା। ଜଣେ ମନ୍ତ୍ରୀ ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ଫିଜିକାଲି, ମେଣ୍ଟାଲି ଡଲ୍। ଏମିତି ଅବସ୍ଥାରେ କେମିତି ଏ ସରକାର ଚାଲୁଚି କିଏ ସରକାର ଚଳାଉଛି ? କିଏ ମାଲିକ ଏ ସରକାରର ବୋଲି ପ୍ରଶ୍ନ ଉଠୁଛି। ଓଡ଼ିଶାରେ ଅନେକ ଦକ୍ଷ ଅଫିସର ଅଛନ୍ତି, ତାଙ୍କୁ ନ ଦେଇ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦେବାର କଣ ଆବଶ୍ୟକତା ? ଯେହେତୁ ସେମାନେ ବୋଲ ମାନିବେ, ସବୁ ଅନ୍ୟାୟ କାର୍ଯ୍ୟରେ ତାଙ୍କୁ ସହଯୋଗ କରିବେ, ସେଥିପାଇଁ ଥଇଥାନ କରାଯାଉଛି। ଏହା କ’ଣ ମୋ ସରକାର? ଏହା କ’ଣ ୫-ଟି? ଏଇଟା କ’ଣ ୫-ଟି ଚିନ୍ତାଧାରା? ରାଜ୍ୟରେ ବହୁ ଉଚ୍ଚଶିକ୍ଷିତ ପିଲା ଥିଲାବେଳେ ଏମିତି ଥଇଥାନ କାହିଁକି କରାଯିବ? ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାର ଏକ ସ୍ପଷ୍ଟୀକରଣ ଦିଆଯିବା ଆବଶ୍ୟକ। ବାଚସ୍ପତି ଏ ଦିଗରେ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜୟନାରାୟଣ କହିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ନେଇ ପ୍ରଶ୍ନ ଉଠାଇଲେ ଅରୁଣ ସାହୁ

ସେପଟେ ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ ପରେ ଏହାର ଉତ୍ତର ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ, ଗୋଟେ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ଚାରୋଟି ଆଙ୍ଗୁଳି ନିଜ ଆଡକୁ ଆସିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି ସେଥିପାଇଁ ତାଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରାଯାଉଛି । ତାଙ୍କ ଅଫିସରେ କେତେ ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଫିସ ତଥା ସାଉଥ ବ୍ଲକରେ ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ପାଇଛନ୍ତି । ଖୋଲା ମାର୍କେଟରୁ ଆରଏସଏସ କ୍ୟାର୍ଡରକୁ ଉଠାଯାଇ ଜଏଣ୍ଟ ସେକ୍ରେଟେରୀ ରଖାଯାଉଛି । ସମ୍ବିଧାନର କେଉଁଠି ଲେଖା ଯାଇଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖାଯାଇ ପାରିବ ନାହିଁ।

ଅରୁଣ ସାହୁ ଆହୁରି କହିଥିଲେ, ବିଜେପି ଶାସିତ ରାଜ୍ୟରେ କେତେ କେତେ ଜଣ ଅଛନ୍ତି ହିସାବ କର ? ବିଧାନସଭାରେ ଯେଉଁ ଯେଉଁ ମାନେ ନାହାନ୍ତି, ସେମାନଙ୍କ ନାଁ ନେବା କଥା ନୁହେଁ । ଏହି ମାନସିକତା ପରିହାର କରନ୍ତୁ ବିରୋଧୀ । ଗୋଟେ ମାନସିକତା ନେଇ ବିଧାନସଭାକୁ ଆସୁଛନ୍ତି । ଏହି ବାଚାଳାମି କେତେ ଦିନ ଚାଲିବ ? ଜଣେ ମାନସିକ ରୋଗ ବିଶେଷଜ୍ଞ ରୋଗର ନିରାକରଣ କରିପାରିବେ କହି ଜୟନାରାୟଣଙ୍କୁ ଟାର୍ଗେଟ କରିଥିଲେ ଅରୁଣ ସାହୁ।

Related Posts