ସିବିଆଇ ଜାଲରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ସିବିଆଇ ଜାଲରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଆଜି ସକାଳୁ ‘ସିବିଆଇ’ ଟିମ୍‌ ଚଢ଼ାଉ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ‘ଦିଲ୍ଲୀ ଅବକାରୀ ନୀତି’ ଅନିୟମିତା ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ‘ସିବିଆଇ’ ଚଢ଼ାଉ କରିଛି।

ବାସଭବନରେ ଚଢ଼ାଉ ଚାଲିଥିବା ସମ୍ବାଦ ପ୍ରସାରିତ ହେବା ପରେ ଟୁଇଟ୍‌ କରି ମନୀଷ ସିସୋଦିଆ ଲେଖିଛନ୍ତି, ‘ସିବିଆଇ’ ଆସିଛି। ଆମେ ସତ୍ୟନିଷ୍ଠ, ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ଗଠନ କରୁଛୁ। ଦୁଃଖର ବିଷୟ ଏ ଦେଶରେ ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ଏମିତି ହଇରାଣ କରାଯାଏ। ସେହି କାରଣରୁ ଆମ ଦେଶ ଏଯାବତ୍‌ ନମ୍ବର ୧ ହୋଇ ପାରିନାହିଁ।

ଆମେ ‘ସିବିଆଇ’କୁ ସ୍ବାଗତ କରୁଛୁ। ତଦନ୍ତରେ ଆମେ ‘ସିବିଆଇ’କୁ ପୂର୍ଣ୍ଣ ସହଯୋଗ କଲେ ପ୍ରକୃତ କଥା ଜଣାପଡ଼ିଯିବ। ଏପର୍ଯ୍ୟନ୍ତ ମୋ ନାଁରେ ଅନେକ ମାମଲା ରୁଜୁ ହୋଇଛି, ଅଥଚ କିଛି ଲାଭ ହୋଇନାହିଁ। ଆଜି ମଧ୍ୟ ସେମାନେ ମୋ ବିରୋଧରେ କୌଣସି ଆପତ୍ତିଜନକ ସାମଗ୍ରୀ ପାଇବେ ନାହିଁ। ଦେଶରେ ଉତ୍ତମ ଶିକ୍ଷା କ୍ଷେତ୍ରରେ ମୋ କାର୍ଯ୍ୟକୁ ସେମାନେ ବାଧା ଦେଇ ପାରିବେ ନାହିଁ।

‘ସିବିଆଇ’ର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଲେ, ‘ସିବିଆଇ’କୁ ସ୍ବାଗତ। ଆମେ ପୂର୍ଣ୍ଣସହଯୋଗ କରିବୁ। ପୂର୍ବରୁ ମଧ୍ୟ ଖାନତଲାସ୍/ଚଢ଼ାଉ କରାଯାଇଛି, କିନ୍ତୁ କିଛି ମିଳିନାହିଁ। ଏଥର ବି କିଛି ମିଳିବ ନାହିଁ।

Related Posts