ରେଳବାଇ ଦୁର୍ନୀତି ମାମଲା; ହସ୍ପିଟାଲରୁ ଡିସଚାର୍ଜ ହେଉ ହେଉ ଲାଲୁଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସିବିଆଇ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ପୁଣି ବଢ଼ିଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ। କିଡନୀ ପ୍ରତିରୋପଣ ପରେ ହସ୍ପିଟାଲରୁ ଡିସଚାର୍ଜ ହେଉ ହେଉ ତାଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କରିଛି ସିବିଆଇ। ତେବେ ରେଳବାଇ ଦୁର୍ନୀତି ମାମଲାରେ ଲାଲୁଙ୍କ ପୁରୁଣା ଫାଇଲ୍ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଲିବ ବୋଲି ଜଣାପଡିଛି।

୨୦୦୪-୨୦୦୯ ପର୍ଯ୍ୟନ୍ତ ୟୁପିଏ-୧ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଲୱେ ପ୍ରୋଜେକ୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା।୨୦୧୮ରେ ଏହାର ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ତେବେ ମେ’ ୨୦୨୧ରେ ଏହି ତଦନ୍ତକୁ ବନ୍ଦ କରାଯାଇଥିଲା। ତେବେ ଦୁର୍ନୀତି ନେଇ କୌଣସି ଅଭିଯୋଗ ନଥିବା କହି ସିବିଆଇ ମାମଲା ବନ୍ଦ କରିଥିଲା। ଲାଲୁଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ଚନ୍ଦା ଯାଦବ, ରାଗିଣୀ ଯାଦବ ମଧ୍ୟ ଏହି ମାମଲରେ ଅଭିଯୁକ୍ତ ଅଛନ୍ତି।

ତେବେ ଲାଲୁ ଯାଦବଙ୍କ ବିରୋଧରେ ଏହି ମାମଲାର ପୁନଃ ତଦନ୍ତ କରିବା ପାଇଁ ନିଷ୍ପତ୍ତି ସେତେବେଳେ ଆସିଥିଲା, ଯେତେବେଳେ ନିକଟରେ ନୀତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗିଥିଲେ ଏବଂ ଆରଜେଡି ସହିତ ମିଶି ବିହାରରେ ସରକାର ଗଠନ କରିଥିଲେ। ବିଜେପିରୁ ଅଲଗା ହେବାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିଯୋଗ କରିଥିଲେ ଯେ, ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଯୋଜନା କରୁଛି।

ସେପଟେ ସିବିଆଇର ପୁଣି ଏହି ତଦନ୍ତ ଆରମ୍ଭ କରୁଥିବା ଯୋଗୁ ବିହାରରେ ପୁଣି ବଡ ଧରଣର ରାଜନୈତିକ ବିବାଦ ଉପୁଜିପାରେ ବୋଲି ଆଶା କରାଯାଉଛି । କାରଣ ବିରୋଧୀ ଦଳ ଗୁଡିକ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁର୍ବ୍ୟବହାର କରୁଥିବା ନେଇ ବାରମ୍ବାର ଅଭିଯୋଗ ଆଣିଛନ୍ତି।

Related Posts