ନୂଆଦିଲ୍ଲୀ: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ଆହୁରି ବଢ଼ିଯାଇଛି । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗୋଟେପଟେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଆକ୍ସନ ନେବା ପାଇଁ ଅଣ୍ଟା ଭିଡ଼ିଚ୍ଛି । ମନି ଲଣ୍ଡରିଂ ଆଧାରରେ ତାଙ୍କ ବିରୋଧରେ ଚାଲିବ ମାମଲା। ସିବିଆଇ ପକ୍ଷରୁ ଇଡିକୁ କିଛି ଡକ୍ୟୁମେଣ୍ଟ ହସ୍ତାନ୍ତର କରାଯାଇଛି।

ସିବିଆଇ ଅବକାରୀ ଦୁର୍ନୀତି ସହ ଜଡିତ ଏଫ୍‌ଆଇଆର୍‌ ଓ ଅନ୍ୟ ଡକ୍ୟୁମେଣ୍ଟ ଇଡିକୁ ଦେଇଛି। ଏବେ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଚାଲିଥିବା ଏକ ସୂତ୍ରରୁ ଜଣାପଡିଛି। ଏହା ପୂର୍ବରୁ ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣ ଲୋକଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା।

ସେପଟେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିବା ପରେ ଏହାକୁ ନେଇ ରାଗିଯାଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ। ମନୀଷ ସିସୋଦିଆ କହିଛନ୍ତି ‘ଏ କି ନାଟକ ଚାଲିଛି। ‘ମୁଁ ଦିଲ୍ଲୀରେ ଖୋଲାଖୋଲି ବୁଲୁଛି, ମୋତେ କେଉଁଠିକୁ ଆସିବାକୁ ହେବ କୁହନ୍ତୁ।’

ଏହା ପୂର୍ବରୁ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ସିବିଆଇ ଉପରେ ଦେଇଥିବା ବୟାନର ଏକ ଭିଡିଓକୁ ସେୟାର କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି।