‘କର୍‌ୱାଚୌଥ’ ବ୍ରତକୁ ଅନ୍ଧବିଶ୍ୱାସ କହି ବିବାଦରେ ରାଜସ୍ଥାନ ମନ୍ତ୍ରୀ ଗୋବିନ୍ଦ ରାମ ମେଘୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଭଳି ବିକଶିତ ଦେଶରେ ନାରୀମାନେ ବିଜ୍ଞାନ ଜଗତରେ ବାସ କରୁଥିବା ବ‌େଳେ ‘କର୍‌ୱାଚୌଥ’ରେ ଆମ ଦେଶର ମହିଳାମାନେ ଚାଲୁଣିରେ ଚନ୍ଦ୍ରକୁ ଦେଖି ସ୍ବାମୀଙ୍କ ଦୀର୍ଘଜୀବନ କାମନା କରିବା ଦୁଃଖର ବିଷୟ। ଏଭଳି ମନ୍ତବ୍ୟ ଦେଇ ବିବାଦ ଭିତରକୁ ଆସିଛନ୍ତି ରାଜସ୍ଥାନ ମନ୍ତ୍ରୀ ଗୋବିନ୍ଦ ରାମ ମେଘୱାଲ ।

ଖବର ଅନୁସାରେ ଜୟପୁରରେ ଆୟୋଜିତ ‘ଡିଜିଫେଷ୍ଟ୍‌’ର ସମାବର୍ତ୍ତନ ଉତ୍ସବରେ ରାଜସ୍ଥାନ ବିପର୍ଯ୍ୟୟ ପରିଚାଳନା ଓ ରିଲିଫ୍‌ ମନ୍ତ୍ରୀ ମେଘୱାଲ କହିଛନ୍ତି ଯେ, ଚୀନ ଓ ଆମେରିକାର ନାରୀମାନେ ବିଜ୍ଞାନ ଜଗତ୍‌ରେ ବାସ କରୁଛନ୍ତି, କିନ୍ତୁ ଦୁଃଖର ବିଷୟ ଆଜି ମଧ୍ୟ ଭାରତର ନାରୀମାନେ ଚାଲୁଣିରେ ଚନ୍ଦ୍ରକୁ ଚାହିଁ ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରୁଛନ୍ତି। ମାତ୍ର, ସ୍ତ୍ରୀର ଦୀର୍ଘ ଜୀବନ ନିମନ୍ତେ ସ୍ବାମୀ କେବେ ହେଲେ ଚାଲୁଣି ଦେଇ ଚନ୍ଦ୍ର ଦେ‌ଖୁନାହାନ୍ତି। ଲୋକେ ଅନ୍ୟମାନଙ୍କୁ ଅନ୍ଧବିଶ୍ବାସର ବଶବର୍ତ୍ତୀ କରାଉଛନ୍ତି। ଧର୍ମ ଓ ଜାତି ନାଁରେ ଅନ୍ୟମାନଙ୍କ ଭିତରେ ଲଢ଼େଇ ଲଗାଉଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହ୍‌ଲଟ୍‌ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।

ଏହାପରେ ମେଘୱାଲଙ୍କର ଏଭଳି ମନ୍ତବ୍ୟକୁ ‘ବିଜେପି’ କଟୂ ସମାଲୋଚନା କରି ତାଙ୍କୁ କ୍ଷମା ମାଗିବାକୁ କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହର କରିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ କହିଛନ୍ତି। ମନ୍ତ୍ରୀ ମେଘୱାଲ୍‌ଙ୍କୁ ସମାଲୋଚନା କରି ରାଜ୍ୟ ‘ବିଜେପି’ ମୁଖପାତ୍ର ତଥା ବିଧାୟକ ରାମଲାଲ୍‌ ଶର୍ମା କହିଛନ୍ତି, ସେ ଜାଣିବା କଥା ଯେ ମହାକାଶଚାରିଣୀ କଳ୍ପନା ଚାୱଲା ଅନ୍ତରୀକ୍ଷକୁ ଯାଇଥିଲେ ଏବଂ ଅନେକ ଭାରତୀୟ ନାରୀ ବିମାନ ଚାଳକ ଭାବେ କାର୍ଯ୍ୟ କରୁଛନ୍ତି। ଏମିତି କହି ସେ ଦେଶର କୋଟି କୋଟି ନାରୀଙ୍କୁ ଅପମାନ ଦେଇଛନ୍ତି। ସେ କ୍ଷମାଭିକ୍ଷା କରି ମନ୍ତବ୍ୟ ପ୍ରତ୍ୟାହାର କରିନେବା ଉଚିତ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରମ୍ପରା ପାଳନ ଲାଗି ଭାରତୀୟ ନାରୀମାନେ ପ୍ରସିଦ୍ଧ। ସେମାନେ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟକ୍ଷେତ୍ର ମଧ୍ୟରେ ସନ୍ତୁଳନ ରଖି ଜାଣନ୍ତି।

ଏନେଇ ବିବାଦ ଦେଖାଦେବା ପରେ ଏସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ସାମ୍ବାଦିକମାନଙ୍କୁ ମେଘୱାଲ୍‌ କହିଛନ୍ତି ଯେ, ସେ ବିଜ୍ଞାନ ଭାବଧାରା ଏବଂ ଶିକ୍ଷାର ପ୍ରସାର ପ୍ରତି ଦୃଷ୍ଟି ଦେଇ ଏକଥା କହିଛନ୍ତି।

Related Posts