ଦିଲ୍ଲୀ ଏମସିଡି; ଶୈଲୀ ଓବରାଇଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କଲା ଆମ ଆଦମୀ ପାର୍ଟି

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ଶେଷ ହୋଇ ଏହାର ଫଳାଫଳ ଆସି ସାରିଛି। ତେବେ ଦୀର୍ଘ ୧୫ ବର୍ଷ ପରେ ବିଜେପି ହାତରୁ ଦିଲ୍ଲୀ ଏମସିଡି ଖସି ଆମ ଆଦମୀ ପାର୍ଟି ହାତକୁ ଯାଇଛି। ଆପ କୁ ଏଠାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିବାବେଳେ ଏମସିଡିର ମେୟର ପଦପାଇଁ ଜାନୁଆରୀ ୬ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଏହି କ୍ରମରେ ଆମ୍ ଆଦମୀ ପାର୍ଟି ତରଫରୁ ଆଜି ମେୟର ଓ ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସୂଚନା ମୁତାବକ ଆପ୍, ତରଫରୁ ମେୟର ପ୍ରାର୍ଥୀ ଭାବେ ଶୈଲୀ ଓବରାଇଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀ ହେବେ ।

ଦିଲ୍ଲୀ ଏମସିଡିର ମେୟର, ଡେପୁଟି ମେୟର ଓ ସଦନର ମୋଟ ୬ ସ୍ଥାୟୀ ସଦସ୍ୟଙ୍କ ନିର୍ବାଚନ ପାଇଁ ଜାନୁଆରୀ ୬ ତାରିଖକୁ ସ୍ଥିର କରାଯାଇଛି । ଉପ ରାଜ୍ୟପାଳ ବିକେ ସକସେନା ଏମସିଡିର ପ୍ରଥମ ବୈଠକରେ ଏହି ତାରିଖ ଘୋଷଣା କରିଥିଲେ ।

ସେପଟେ ଦିଲ୍ଲୀ ଏମସିଡିର ୨୫୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୩୪ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେପଟେ ବିଜେପି ୧୦୪ ଟି ଆସନରେ ବିଜୟୀ ହୋଇଛି ।

ସୂଚନାଯୋଗ୍ୟ ଯେ, ଏମସିଡି ମେୟର ନିର୍ବାଚନରେ ଏମସିଡିର ୨୫୦ ପାରିଷଦଙ୍କ ସହ ୧୦ ଜଣ ସାଂସଦ (୩ ଜଣ ରାଜ୍ୟସଭା ସାଂସଦ ଓ ୭ ଜଣ ଲୋକସଭା ସାଂସଦ) ଓ ୧୩ ଜଣ ବିଧାୟକ ମତଦାନ କରିବେ । ଅର୍ଥାତ ମେୟର ନିର୍ବାଚନରେ ମୋଟ ୨୭୩ ଜଣ ମତଦାନ କରିବେ ।

Related Posts