ପାକିସ୍ତାନର ଇସ୍‌ଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ; ଜଣେ ପୁଲିସ ଅଧିକାରୀ ନିହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ପାକିସ୍ତାନର ଇସ୍‌ଲାମାବାଦ ଅନ୍ତର୍ଗତ ଏକ ବ୍ୟୟବହୁଳ ବଜାର, ବିଶ୍ବବିଦ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟ ଥିବା ଅଞ୍ଚଳରେ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କିଛି ବ୍ୟକ୍ତି ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଖବର ମିଳିବା ପରେ ଘଟଣାସ୍ଥଳରେ ‘ସ୍ପେସାଲ୍‌ ଆଣ୍ଟି-ଟେରର୍‌ ଫୋର୍ସ’ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଇସ୍‌ଲାମାବାଦର ୧-୧୦/୪ ସେକ୍ଟର୍‌ ଅଞ୍ଚଳରେ ଗୋଟାଏ କାର୍‌ରେ ଏହି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା କଥା ‘ଜିଓ ନିଉଜ୍‌’ ରିପୋର୍ଟ କରିଛି।

ଜଣେ ସରକାରୀ ଅଧିକାରୀଙ୍କସୂତ୍ରରୁ ଜଣାପଡ଼ିଛି ଯେ, ଗୋଟାଏ ସନ୍ଦିଗ୍ଧ ଟ୍ୟାକ୍ସିକୁ ତଲାସ କରିବା ପାଇଁ ପୁଲିସ ଅଟକାଇଥିବା ବେଳେ ସେଥିରେ ବିସ୍ଫୋରଣ ଘଟିଲା। ଏଥିରେ ଜଣେ ପୁଲିସ କର୍ମୀ ନିହତ ହୋଇଥିବାବେଳେ ନିହତ ‌ପୁଲିସ ଅଧିକାରୀ ହେଉଛନ୍ତି ଆଦୀଲ୍‌। ସେ ସନ୍ଦିଗ୍ଧ କ୍ୟାବ୍‌ଟିକୁ ଅଟକାଇ ସନ୍ଦିଗ୍ଧଙ୍କୁ ଗିରଫ କରିବା ଲାଗି ଉଦ୍ୟମ କରୁଥିଲେ।

ସେପଟେ ‘ଇସ୍‌ଲାମାବାଦ୍‌ ଭିଉଜ୍‌’ ଟୁଇଟ୍‌ କରିଛି ଯେ, ଇସ୍‌ଲାମାବାଦ୍‌ର ସେକ୍ଟର୍‌ ୧-୧୦/୪ ସେକ୍ଟର୍‌ରେ ଗୋଟାଏ ସନ୍ଦିଗ୍ଧ କ୍ୟାବ୍‌ରେ ବିସ୍ଫୋରଣ ଘଟି ୪ଜଣ ପୁଲିସ ଆହତ ହୋଇଛନ୍ତି। ଏହି ସନ୍ଦିଗ୍ଧ କ୍ୟାବ୍‌କୁ ପୁଲିସ ଅନୁସରଣ କରୁଥିଲା। ତାହାକୁ ଅଟକାଇ ତଲାସ କରିବା ବେଳେ ବିସ୍ଫୋରଣ ଘଟିଲା। ଉକ୍ତ କ୍ୟାବ୍‌ ଭିତରେ ୩ଜଣ ସନ୍ଦିଗ୍ଧ ଥିଲେ।

Related Posts