ଦିଲ୍ଲୀ ଏମସିଡି ନିର୍ବାଚନରେ ବିଜେପିର ୧୦ ଭିଡ଼ିଓ ବନାମ କେଜ୍ରିୱାଲର ୧୦ ଗ୍ୟାରେଣ୍ଟି ମଧ୍ୟରେ ଲଢ଼େଇ ହେଉଛି: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ ଭିତରେ ଭିଆଇପି ସୁବିଧା ମିଳୁଥିବା ବେଳର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି। ଏହି ଭାଇରାଲ ଭିଡିଓକୁ ବିଜେପି ଜାରି କରି ରାଜଧାନୀରେ କ୍ଷମତାସୀନ ଆପ୍‌ ସରକାରଙ୍କୁ ଟାର୍ଗେଟ କରୁଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କିନ୍ତୁ ଏହି ଭାଇରାଲ ଭିଡିଓକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।ଏଥିସହ ଆସନ୍ତା ଦିଲ୍ଲୀ ପୌର ନିର୍ବାଚନରେ ଲୋକମାନେ ଏହାର ଉତ୍ତର ଭୋଟ ମାଧ୍ୟମରେ ଦେବେ ବୋଲି ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, “ଏମସିଡି ନିର୍ବାଚନର ପ୍ରସଙ୍ଗ ଏବେ ପୂରା ସ୍ପଷ୍ଟ ହୋଇଯାଇଛି। ଏହି ନିର୍ବାଚନରେ ବିଜେପିର ୧୦ ଭିଡିଓ ବନାମ କେଜ୍ରିୱାଲର ୧୦ ଗ୍ୟାରେଣ୍ଟି ମଧ୍ୟରେ ଲଢ଼େଇ ହେବ। ଡିସେମ୍ବର ୪ ଯାଏ ଆପଣମାନେ ଅପେକ୍ଷା କରନ୍ତୁ। ଦିଲ୍ଲୀବାସୀ ଏହି ସବୁ ଭିଡିଓର ଉଚିତ ଜବାବ ଦେବେ।”

ମନି ଲଣ୍ଡରିଂ ମାମଲାରେ ଜୈନ ଗିରଫ ହୋଇ ୫ମାସ ହେବ ଜେଲରେ ଅଛନ୍ତି। ତଥାପି ତାଙ୍କୁ କେଜ୍ରିୱାଲ ମନ୍ତ୍ରୀ ପଦରୁ ହଟାଇ ନାହାନ୍ତି। ତାଙ୍କ ଗିରଫଦାରୀ ପଛରେ ରାଜନୀତିକ ଷଡ଼ଯନ୍ତ୍ର ଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏବେ ସାମ୍ନାକୁ ଆସୁଥିବା ଭିଡିଓରେ ଜୈନ କେତେବେଳେ ଭିଭିଆଇପି ସୁବିଧା ଓ ଖାଦ୍ୟ ପାଉଛନ୍ତି ତ ଆଉ କେତେବେଳେ ଜେଲର ଚାରିକାନ୍ଥ ମଧ୍ୟରେ ଅଧିକାରୀଙ୍କ ସହ ବୈଠକ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ହେଲେ କେଜ୍ରିୱାଲ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ସହ ଜେଲରେ ଜୈନଙ୍କୁ କୌଣସି ପ୍ରକାରର ସ୍ୱତନ୍ତ୍ର ସୁବିଧା ମିଳୁନି ବୋଲି କହିଥିଲେ। ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ କେଜ୍ରିୱାଲ କହିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ କୌଣସି ପ୍ରକାରର ଭିଭିଆଇପି ସୁବିଧା ମିଳୁନି। ସେ ସବୁ କିଛି ଜେଲ ମାନୁଆଲରେ ଥିବା ବ୍ୟବସ୍ଥା ଅନୁସାରେ ପାଉଛନ୍ତି। ସେ ରୁଟି ଖାଉଛନ୍ତି। ଆପଣ ପଚାରିବେ ସେ କାହିଁକି ରୁଟି ଖାଇବେ? ଏହା କେଉଁ ପ୍ରକାରର ରାଜନୀତି? ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

Related Posts