ବାଣ ଧୂଆଁରେ ବିପଦରେ ଦିଲ୍ଲୀ; ସୀମା ଟପିଲା ପ୍ରଦୂଷଣ ହାର

ନୂଆଦିଲ୍ଲୀ: ଦିଲ୍ଲୀରେ ସବୁଜ ଦୀପାବଳି ପାଳନ କରିବାର ଆହ୍ୱାନ ପରେ ବି ବଦଳିନି ଦିଲ୍ଲୀବାସୀଙ୍କ ମାନସିକତା | ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସୀମା ଟପିଯାଇଛି | ଗତ ରାତିରେ ଫୁଟାଯାଇଥିବା ବାଣ କାରଣରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ର ବଢିଯାଇଛି | ଦିଲ୍ଲୀର ଆନନ୍ଦ ବିହାର, ଆଇଟିଓ, ଜାହାଙ୍ଗିରପୁରୀ, ଦ୍ୱାରିକା, ଲୋଧି ରୋଡ଼ରେ ସ୍ଥିତି ଅତ୍ୟନ୍ତ ପ୍ରଦୂଷିତ ରହିଛି | ଏହି ସବୁ ଅଞ୍ଚଳରେ ରାତିରେ ପ୍ରଦୂଷଣ ସ୍ତର ୨୫୦ରୁ ୨୮୦ ମଧ୍ୟରେ ଥିବାବେଳେ ଆଜି ସକାଳୁ ଏହି ସ୍ତର ୫୦୦ରେ ପହଁଚିଯାଇଛି |

ଦିଲ୍ଲୀରେ ଗତ ରାତିରେ ହାରାହାରି ବାୟୁ ଗୁଣବତ୍ତା ୩୦୬ ରହିଛି ଯାହାକି ଅତ୍ୟନ୍ତ ଖରାପ ବୋଲି ଜଣାପଡିଛି | ଦିଲ୍ଲୀ ତୁଳନାରେ ମୁମ୍ବାଇରେ ଦୀପାବଳି ପରେ ବାୟୁମଣ୍ଡଳ ଅପେକ୍ଷାକୃତ ସ୍ଵଛ ରହିଛି | ମୁମ୍ବାଇର ହାଜି ଅଲି ଅଞ୍ଚଳରେ ପ୍ରଦୂଷଣ ସ୍ତର ୫୦ରୁ କମ ରହିଛି | ଅର୍ଥାତ ଏଠାରେ ବାୟୁ ମଣ୍ଡଳ ସ୍ଵଛ ରହିଛି |

କିଛି ଦିନ ହେବ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ରହୁଛି । ଦୀପାବଳିରେ ଅଧିକ ମାତ୍ରାରେ ବାଣଫୁଟା ଯୋଗୁଁ ଏହି ସ୍ତର ଆହୁରି ଖରାପ ହୋଇଛି । ସେଥିପାଇଁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ସରକାର । ଏଠାରେ ସୂଚନା ଥାଉ କି ବାୟୁ ପ୍ରଦୂଷଣ ସ୍ତର ଶୂନରୁ ୫୦ ଭିତରେ ରହିଲେ ଭଲ, ୫୧ ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ହେଲେ ବହୁତ ଖରାପ, ୪୦୧ରୁ ୫୦୦ ବହୁତରୁ ବହୁତ ଖରାପ ହୋଇଥାଏ |

Related Posts