ଦେଶର ସବୁଠାରୁ ବଡ଼ କାର୍‌ ଚୋରକୁ ଧରିଲା ଦିଲ୍ଲୀ ପୋଲିସ: ନାଁରେ ରହିଛି 200ଟି କେସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ହାତରେ ଲାଗିଲା ବଡ଼ ଚୋର । ଦେଶର ସବୁଠାରୁ ବଡ଼ କାର୍‌ ଚୋରକୁ ଧରିବାରେ ସକ୍ଷମ ହୋଇଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଜଣକ ହେଉଛି ଅନୀଲ ଚୌହାନ ।

ତେବେ ଅଭିଯୁକ୍ତ ଅନୀଲ ଚୌହାନ ନାଁ ରେ ବର୍ତ୍ତମାନ 200 କେସ୍‌ ଥିବା ପୋଲିସ ପକ୍ଷରୁ କୁହାଯାଇଛି । 27 ବର୍ଷର ଅପରାଧିକ ଇତିହାସରେ ଦୁଇ ଥର ତାକୁ ଗିରଫ କରାଯାଇଛି ।

ଅଭିଯୁକ୍ତ ଅନୀଲ ଚୌହାନ ଏକ ଚୋରା କାର୍‌ରେ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଦିଲ୍ଲୀ ଆସିଥିଲା । ବିଶେଷ ସୂତ୍ରରୁ ସୂଚନା ପାଇ ଦିଲ୍ଲୀ କେନ୍ଦ୍ରୀୟ ପୋଲିସର ସ୍ବତନ୍ତ୍ର ଟିମ ଚଢ଼ାଉ କରି ଧରିବାରେ ସଫଳ ହୋଇଛି । ଗିରଫ ବେଳେ 6ଟି ବନ୍ଧୁକ ଏବଂ 7ଟି ଗୁଳି ଜବତ କରିଛି ପୋଲିସ। ଅନୀଲ ତିନୋଟି ବିବାହ କରିଥିବା ଜଣାପଡ଼ିଛି । ପ୍ରାୟ 6000 ଅପରାଧିକ ମାମଲାରେ ସମ୍ପୃକ୍ତି ଥିବାବେଳେ ବର୍ତ୍ତମାନ 200 ମାମଲା ରହିଛି । ଏହି ବ୍ୟକ୍ତି ଜଣକ ପ୍ରାୟ 20 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର ଚୋରିରେ ଲିପ୍ତ ଥିବା ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି, “ଅନୀଲ ଚୌହାନ କାର ଚୋରି ଆସାମ ଏବଂ ଉତ୍ତର-ପୂର୍ବ ଭାରତରେ ବିକ୍ରି କରୁଥିଲେ। ଅନେକ ଥର ପୋଲିସ ହାତରୁ ଖସିବାରେ ସେ ସଫଳ ହୋଇଛି । ଏହାପରେ ଆସାମରେ ଗଣ୍ଡାର ଶିଙ୍ଗ ଚାଲାଣ କରୁଥିଲା ।” ଅଭିଯୁକ୍ତର ସମସ୍ତ ସମ୍ପତ୍ତିକୁ ଇଡି ଜବତ କରିଛି ।

2015 ମସିହାରେ ଏକ ସ୍ଥାନୀୟ ବିଧାୟକଙ୍କ ସହ ଅନୀଲକୁ ଆସାମ ପୋଲିସ ଧରିଥିଲା । ଏହାପରେ ପୁଣି ଗାଡ଼ି ଚୋରିରେ ଲିପ୍ତ ରହି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସ ଅନୀଲକୁ ଗିରଫ କରି ହେପାଜତରେ ରଖିଛି ।

Related Posts