ଦିଲ୍ଲୀରେ ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଲେ ନୀତିଶ କୁମାର; ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟ ନେଇ ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଅବସରରେ ସେ ମଙ୍ଗଳବାର ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ଉଭୟ ନେତା ଗଣମାଧ୍ୟମ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏହି ଅବସରରେ ନୀତୀଶ କହିଛନ୍ତି, ତାଙ୍କର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ କିମ୍ବା ସେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି, ସେ କେବଳ ଚେଷ୍ଟା କରୁଛନ୍ତି ଯେ ଯଦି ଦେଶରରେ ସମସ୍ତ ଆଞ୍ଚଳିକ ଦଳ ଏକାଠି ହୁଅନ୍ତି, ତେବେ ଏହା ଏକ ବଡ କଥା ହେବ।

ଏହି ଅବସରରେ ସୀତାରାମ ୟେଚୁରୀ କହିଛନ୍ତି ଯେ, ନୀତୀଶ କୁମାର ଆମ ପାର୍ଟି କାର୍ଯ୍ୟାଳୟକୁ ଦ୍ୱିତୀୟଥର ଆସିବା ସ୍ବାଗତଯୋଗ୍ୟ ଏବଂ ଏହା ଦେଶ ପାଇଁ ଏକ ଭଲ ସଙ୍କେତ ଅଟେ। ବିରୋଧୀ ଦଳମାନଙ୍କୁ ଏକଜୁଟ ହୋଇ ଦେଶର ସମ୍ବିଧାନ ବଞ୍ଚାଇବାକୁ ପଡିବ। ଆମର ପ୍ରଥମ କାର୍ଯ୍ୟ ହେଉଛି ସମସ୍ତଙ୍କୁ ଏକଜୁଟ କରିବା।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ନୀତୀଶ କୁମାର ସୋମବାର ରାହୁଲ ଗାନ୍ଧୀଙ୍କ ସହ ୫୦ ମିନିଟ୍‌ ସାକ୍ଷାତ କରିଥିଲେ। ଉଭୟ ନେତା ଭାଜପା ବିରୋଧରେ ବିରୋଧୀଙ୍କ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ ଏକ ଏଜେଣ୍ଡା ଅଧୀନରେ ଭାଜପା ବିରୋଧରେ ଅଭିଯାନ ଆରମ୍ଭ କରିବା ଉପରେ ଆଲୋଚନା ହୋଇଥିଲା।

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଏହି ନୂତନ ଅଭିଯାନ ଅଧୀନରେ ନୀତୀଶ କୁମାର ଆଗାମୀ ଦୁଇ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ସମେତ ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନଙ୍କୁ ଭେଟିବେ। ଏହି ସମୟରେ ନୀତୀଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

Related Posts