ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ହାଇଦ୍ରାବାଦର ଔଷଧ କମ୍ପାନି ମୁଖ୍ୟଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦୁଇ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ହାଇଦ୍ରାବାଦରେ ଥିବା ଏକ ଔଷଧ କମ୍ପାନୀର ମୁଖ୍ୟ ରହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଥିଲା। ତଦନ୍ତ ବେଳେ ଏପରି ଗିରଫଦାରୀ ହୋଇଛି।

ହାଇଦ୍ରାବାଦର ଅରବିନ୍ଦ ଫର୍ମା କମ୍ପାନୀର ନିର୍ଦ୍ଦେଶକ ଶରତ ରେଡ୍ଡୀ ଓ ପାନୀୟ କମ୍ପାନୀ ପେରନଡ ରିଚାର୍ଡର ବିନୟ ବାବୁଙ୍କୁ ଇଡି ଜେରା କରିବା ପରେ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ପିଏମଏଲଏର ବିଭିନ୍ନ ଦଫରେ ଇଡି ଉଭୟଙ୍କୁ ଗିରଫ କରାଯାଇଛି।

ଗିରଫଦାରୀ ପୂର୍ବରୁ ଇଡି ଶରତ ଓ ବିନୟଙ୍କ ଏକାଧିକ ଠିକଣାରେ ରେଡ କରିଥିଲା। ସେହିପରି ସେମାନଙ୍କୁ ୨ ଥର ଜେରା ମଧ୍ୟ କରାଯାଇଥିଲା। ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଇଡି ସେପ୍ଟେମ୍ବର ମାସରେ ମଦ କମ୍ପାନୀ ଇଣ୍ଡୋସ୍ପିରିଟର ଏମଡି ସମୀର ମାହାଦ୍ରୁଙ୍କୁ ବି ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ଲାଗୁ କରାଯିବାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଦିଲ୍ଲୀର ଉପରାଜ୍ୟପାଳ ‘ସିବିଆଇ’ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହା ବ୍ୟତୀତ ଉପରାଜ୍ୟପାଳ ୧୧ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରିଥିଲେ। ପ୍ରଥମେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ପରେଏହି ମାମଲାରେ ଆର୍ଥିକ ଦୁର୍ନୀତି ହୋଇଥିବା କଥା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା।ସିବିଆଇର ତଦନ୍ତ ଚାଲିଥିବା ବେଳେ ଇଡି ଅଗଷ୍ଟ ମାସରେ ପୂରା ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ସିବିଆଇ ରୁଜୁ କରିଥିବା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଇଡି ମଧ୍ୟ ଏମାନଙ୍କ ଭୂମିକାର ଖୋଳତାଡ଼ କରୁଛି।

Related Posts