ଗୁଜରାଟ ନିର୍ବାଚନ: ବିଜେପି ଜାରିକଲା ୧୬୦ ଜଣିଆ ପ୍ରାର୍ଥୀ ତାଲିକା, ହାର୍ଦ୍ଦିକ ପଟେଲ୍‌ ଓ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ମିଳିଲା ଟିକେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ‘ବିଜେପି’ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬୦ଜଣ ପ୍ରାର୍ଥୀଙ୍କ ନାଁ ଥିବା ଏହି ତାଲିକାକୁ କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାଭୀୟ, ଭୂପେନ୍ଦର୍‌ ଯାଦବ ଓ ରାଜ୍ୟ ବିଜେପି ମୁଖ୍ୟ ସି. ଆର୍‌. ପଟେଲ୍‌ ଘୋଷଣା କରିଛନ୍ତି।

ପ୍ରାର୍ଥୀ ତାଲିକା ଘୋଷଣା କରି ଭୂପେନ୍ଦର୍‌ ଯାଦବ କହିଛନ୍ତି ଯେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ ଘାଟଲୋଡ଼ିୟା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି। ସେହିପରି କଂଗ୍ରେସ ଛାଡ଼ି ‘ବିଜେପି’ରେ ଯୋଗ ଦେଇଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ୍‌ ବୀରମଗାମ୍‌ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘୱି ମାଜୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ସେହିପରି ନିକଟରେ ଝୁଲା ପୋଲ ଦୁର୍ଘଟଣା ଘଟିଥିବା ମୋରବୀରୁ କାନ୍ତିଲାଲ୍‌ଙ୍କୁ ଟିକେଟ୍ ଦେଇଛି ଦଳ। ଅନ୍ୟପଟେ ଜାମନଗର ନର୍ଥ ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ଟିକେଟ୍ ଦିଆଯାଇଛି।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରାୟ ରୂପାନି ଏବଂ ଦଳର ବରିଷ୍ଠ ନେତା ଭୂପେନ୍ଦ୍ରସିଂହ ଚୁଡ଼ାସମା ଚଳିତ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେହିପରି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍‌ ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ। ଏକଥା ସେ ଦଳର ନେତୃତ୍ବଙ୍କୁ ଜଣାଇ ଦେଇଥିବା କଥା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗୁଜରାଟରେ ଆସନ୍ତା ଡିସେମ୍ବର ୧ ଓ ଡିସେମ୍ବର ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ।

Related Posts