ଦିଲ୍ଲୀ ବାଛିବ ମହାରାଷ୍ଟ୍ର CM

(ସତ୍ୟପାଠ ବ୍ୟୁରୋ) ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର 12 ଦିନ ବିତିଲାଣି । ହେଲେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ନେଇ ଏଯାଏ କିଛି ଚିତ୍ର ସ୍ପଷ୍ଟ ହୋଇନି । ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ଗତକାଲି ଶିବସେନା ସାଂସଦ ସଂଜୟ ରାୱତ ଓ ରାମଦାସଜୀ କଦମ, ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ସୌଜନ୍ୟମୁଳକ ସାକ୍ଷାତ କରିଛନ୍ତି । ରାଜ୍ୟରେ ସରକାର ଗଠନ ବିଳମ୍ବକୁ ନେଇ ସେମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ଦିଲ୍ଲୀରେ ମହାରାଷ୍ଟ୍ରର ଗୋଳିଆ ରାଜନୀତି

ଅନ୍ୟପଟେ ମୁମ୍ବାଇରୁ ଯାଇ ଦିଲ୍ଲୀରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୀତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟ ରାଜନୀତି ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି କିନ୍ତୁ ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବ ବୋଲି ପୁଣି ଥରେ ଦୋହରାଇଛନ୍ତି ଫଡନାଭିସ ।

ଶିବସେନାକୁ ସମର୍ଥନ ପାଇଁ ମନା କଲେ ସୋନିଆ: ସୂତ୍ର

ସେହିପରି କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାୱାର । ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ଦେବା ସମ୍ପର୍କରେ ଉଭୟ ସୋନିଆ ଓ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଯେକୌଣସି ଉପାୟରେ ବିଜେପିକୁ କ୍ଷମତା ଦୂରରେ ରଖିବା ପାଇଁ ଉଭୟ କଂଗ୍ରେସ ଏବଂ ଏନ୍‌ସିପି ଚାହୁଁଥିବା ବେଳେ ଶିବସେନାକୁ କଂଗ୍ରେସ ସମର୍ଥନ ଦେବାକୁ ସୋନିଆ ମନା କରିଥିବା ସୂତ୍ରରୁ ଜଣାପଡ଼ିଛି ।

କିଏ ଛୁଇଁବ ମ୍ୟାଜିକ ନମ୍ବର ?

ବିଜେପି-ଶିବସେନା       ଏନ୍‌ସିପି-କଂଗ୍ରେସ-ଶିବସେନା         ବିଜେପି-ଏନ୍‌ସିପି

ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ହେବା ଦାବିରେ ବିଜେପି ଅଟଳ ଥିବା ବେଳେ ଶିବସେନା ୫୦-୫୦ ଫର୍ମୂଲାରେ ସରକାର ଗଠନ ଜିଦ୍‌ରୁ ଓହରୁନାହିଁ । ତେଣୁ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଢ଼ିବା ଭଳି ସମ୍ଭାବନା ଏବେ ନଜରକୁ ଆସୁନି । ୫୦-୫୦ ଫର୍ମୂଲାରେ ସରକାର ନଗଢ଼ିଲେ ଶିବସେନା, ବିଜେପି ହାତ ଛାଡ଼ି କଂଗ୍ରେସ ଓ ଏନ୍‌ସିପି ସମର୍ଥନ ନେବାକୁ ପଛାଇବ ନାହିଁ ବୋଲି ମଧ୍ୟ ରୋକଠୋକ୍ ଶୁଣାଇ ସାରିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫ । ବିଜେପି ସର୍ବାଧିକ ୧୦୫ଟି ଆସନ ଜିତିଥିବା ବେଳେ ଶିବସେନା ଜିତିଛି ୫୬ । ବିଜେପି ଓ ଶିବସେନାର ଆସନ ମିଶାଇଲେ ଏହି ସଂଖ୍ୟା ୧୬୧ରେ ପହଞ୍ଚିବ । ମେଣ୍ଟକୁ ଆଉ କିଛି ଛୋଟ ଛୋଟ ଦଳ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବି ରହିଛି । ସେପଟେ ଅନ୍ୟ ଏକ ମେଣ୍ଟରେ ଏନସିପିକୁ ୫୪ ଏବଂ କଂଗ୍ରେସକୁ ମିଳିଛି ୪୪ଟି ସିଟ୍ । ଉଭୟଙ୍କ ଆସନ ମିଶିଲେ ୯୮ରେ ପହଞ୍ଚୁଛି । ଯାହାକି ସରକାର ଗଢିବା ପାଇଁ ଯଥେଷ୍ଟ ନୁହେଁ । ହେଲେ ଶିବସେନାର ୫୬ ବିଧାୟକ, କଂଗ୍ରେସ-ଏନସିପି ସହ ହାତ ମିଳାଇଲେ ବିଧାୟକଙ୍କ ସଂଖ୍ୟା ୧୫୪ରେ ପହଞ୍ଚିବ । ଆଉ ସହଜରେ ସରକାର ଗଠନ ହୋଇପାରିବ । ବିଜେପିକୁ ଯଦି ଏନ୍‌ସିପି ସମର୍ଥନ କରିବ, ତାହାଲେ ସଂଖ୍ୟା ପହଞ୍ଚିବ ୧୫୯ରେ । ଆସନ୍ତା ୮ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରୁଛି । ଏହାରି ଭିତରେ ନୂଆ ସରକାର ଗଠନ ହୋଇ ନପାରିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ସମ୍ଭାବନା ରହିଛି ।

RSS ମୁଖ୍ୟ ମୋହନ ଭାଗବତ ସହଯୋଗ ଲୋଡ଼ିଲା ଶିବସେନା

RSS ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଲେ ଶିବ ସେନା ନେତା କିଶୋର ତିୱାରୀ । ମହାରାଷ୍ଟ୍ର ରାଜନୀତିରେ ହସ୍ତକ୍ଷେପ କରି ସମାଧାନ କରିବାକୁ କଲେ ଅନୁରୋଧ । ଏହା ସହ ବିଜେପି ମେଣ୍ଟ ଧର୍ମର ପାଳନ କରୁନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ତିୱାରୀ ।

‘ମେରା MLA, ମେରା CM

‘ମାତୋଶ୍ରୀ’ ଆଗରେ ଆଦିତ୍ୟ ଠାକ୍‌ରେଙ୍କ ପୋଷ୍ଟର ମାରି ‘ମେରା ଏମ୍‌ଏଲଏ, ମେରା ସିଏମ୍’ ଲେଖିଛନ୍ତି ଶିବ ସୈନିକ । ଏଥିରୁ ସ୍ପଷ୍ଟ ଯେ ଯାହାବି ହେଉ ଏଥର ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଶିବସେନା ବିଜେପିକୁ ଦେବାକୁ ଚାହୁଁନି । ଅନ୍ୟପଟେ ଯଦି ରାଜନୈତିକ ବିଶେଷଜ୍ୟଙ୍କ କଥାକୁ ନେବା ସେମାନଙ୍କ କହିବା କଥା । ଯଦି ଏଭଳି ସୁଯୋଗ ଶିବସେନା ଏଥର ହାତଛଡ଼ା କରୁଛି ତେବେ ମହାରାଷ୍ଟ୍ରରେ ଶିବସେନାର ଆଉ ବଡ଼ ଦଳ କେବେ ହୋଇ ପାରିବ ନାହିଁ । କାରଣ ଶିବସେନା ନିଜକୁ ବଡ଼ ଏବଂ ପ୍ରଭାବୀ ଦଳ ବୋଲି ପ୍ରମାଣିତ କରିବାକୁ ଏଭଳି ସୁଯୋଗ ଆଉ ପୁଣି ଥରେ ଆସି ନପାରେ । ନହେଲେ ବିଜେପି ପଛରେ ସବୁ ଦିନ ଶିବସେନା ପୂର୍ବଭଳି ଦୌଡ଼ୁଥିବ ବୋଲିସ ସେମାନେ ମତବ୍ୟକ୍ତ କରିଛନ୍ତି । ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଜେପି କେବଳ ହିନ୍ଦୁତ୍ବବାଦ ଦ୍ବାହି ଦେଇ ଶିବସେନାର ଆଉ ବିଜେପିର ଚିନ୍ତାଧାରା ଏକ୍ ବୋଲି କହି ଶିବ ସୈନିକଙ୍କୁ ବ୍ୟବହାର କରୁଛି ।

Related Posts