‘ସଚିନ ପାଇଲଟଙ୍କ ପାଇଁ ଭାଜପାର ଦ୍ୱାର ବନ୍ଦ ନାହିଁ’: ରାଜସ୍ଥାନ ଭାଜପା ମୁଖ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ କଂଗ୍ରେସରେ ଜାରି ରହିଥିବା ସଙ୍କଟ ଭିତରେ ରାଜସ୍ଥାନ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସତୀଶ ପୁନିଆ ନିଜ ପ୍ରତିକ୍ରିୟା ରଖିଛନ୍ତି। ପୁନିଆ କହିଛନ୍ତି ଯେ, ସଚିନ ପାଇଲଟଙ୍କ ପାଇଁ ଭାଜପାର ଦ୍ୱାର ବନ୍ଦ ନାହିଁ। ଯଦି ଏପରି କିଛି ପରିସ୍ଥିତି ଉପୁଜେ ତେବେ ଦଳର ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ତେବେ ଏହାପୂର୍ବରୁ ପୁନିଆ ଟୁଇଟ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ।ସେ କହିଥଲେ- ଫଳାଫଳ ଆସିବା ଆରମ୍ଭ ହୋଇଛି। ଜୟ ଭାଜପା, ତୟ ଭାଜପା ୨୦୨୩। ତେବେ ଗତକାଲି ଅନ୍ୟ ଏକ ଟୁଇଟରେ ସେ କଂଗ୍ରେସକୁ କଟାକ୍ଷ କରି କହିଥିଲେ ଯେ, ଆଜିର ଭାରତ ଅଷ୍ଟ୍ରେଲିଆ ମ୍ୟାଚ୍ ରେ ଯେତିକି ଅନିଶ୍ଚିତତା ନଥିଲା, ତାଠାରୁ ଯଥେଷ୍ଟ ଅନିଶ୍ଚିତତା ରାଜସ୍ଥାନ କଂଗ୍ରେସରେ ରହିଛି।

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ତାଙ୍କ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି। ରବିବାର ଡକାଯାଇଥିବା ବିଧାନସଭା ପାର୍ଟି ବୈଠକ ହୋଇ ପରି ନ ଥିଲା ଏବଂ ଗେହଲଟଙ୍କ ସମର୍ଥକ ବିଧାୟକମାନେ ସେମାନଙ୍କ ଇସ୍ତଫା ଘୋଷଣା କରିଥିଲେ। ବିଧାୟକମାନେ ଏଆଇସିସିର ପର୍ଯ୍ୟବେକ୍ଷକଙ୍କୁ ଭେଟି ନ ଥିଲେ। ଏଆଇସିସିର ସାଧାରଣ ସମ୍ପାଦକ ଅଜୟ ମାକେନଙ୍କ ଅନୁଯାୟୀ, ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ନୁହେଁ ଏବଂ ୧୯ ଅକ୍ଟୋବର ପରେ ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ଗେହଲଟ ସମର୍ଥନରେ ଥିବା ବିଧାୟକମାନେ କହିଛନ୍ତି।

Related Posts