ଅସ୍ତବ୍ୟସ୍ତ କରୁଛି କୁହୁଡି, ବଢ଼ୁଛି ଦୁର୍ଘଟଣା, ୧୨ ଜିଲ୍ଲାକୁ ଆଲର୍ଟ

ସତ୍ୟପାଠ ବ୍ୟୁରୋ : ଅସ୍ତବ୍ୟସ୍ତ କରୁଛି କୁହୁଡି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଲାଣି । ବିଶେଷ କରି କୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜୁଥିବା ବେଳେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି । ତେବେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି ଓ କାଲି ୧୨ଟି ଜିଲ୍ଲା ପାଇଁ କୁହୁଡି ନେଇ ସତର୍କ ସୂଚନା ଜାରୀ କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢ଼େଙ୍କାନାଳ, ଅନୁଗୋଳ ଓ କନ୍ଧମାଳ ପ୍ରଭୃତି ୧୨ ଜିଲ୍ଲାକୁ ଆଲର୍ଟ କରାଯାଇଛି । ୨୬ ଓ ୨୭ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ସେପଟେ କୁହୁଡି ଯୋଗୁଁ ଆଜି ମଧ୍ୟ ଭୋରରୁ ତିନିଟି ସ୍ଥାନରେ ଦୁର୍ଘଟଣା ହୋଇଥିବାର ଖବର ମିଳିଛି । ରାଜନଗରରେ ରାସ୍ତା ତଳକୁ ଖସିଛି ବସ । ତେବେ ବସଟି ଝୁଲି ରହିଥିବାରୁ ଯାତ୍ରୀମାନେ ଅଳ୍କକେ ବର୍ତ୍ତୀ ଯାଇଛନ୍ତି । କେନ୍ଦ୍ରାପଡାରେ କଟକ-ଚାନ୍ଦବାଲି ରାସ୍ତାର ଜଂଟିଲୋ ଛକରେ ବୋଲେରୋକୁ ଇଣ୍ଡିଗୋ ଧକ୍କା ଦେବା ଫଳରେ ୫ଜଣ ଆହତ ହୋଇଛନ୍ତି । ସେହିଭଳି ଜଗତସିଂହପୁର କଟକ-ପାରାଦ୍ୱୀପ ରାସ୍ତାର ବାଲିପାଟଣା ଛକରେ ଆଳୁ ବୋଝେଇ ଟ୍ରକ ଓ ପିକଅପ ଭ୍ୟାନ ରାସ୍ତା ତଳକୁ ଖସି ପଡିଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।

Related Posts